Unknown

 

 

 

 

 

 

 

 

 

 

ଜଏଦେବର ନୂତନ କବିତା

ଜ୍ଞାନୀନ୍ଦ୍ର ବର୍ମା

 

ଏକ ସଂଧ୍ୟା ଆଳାପର ସାଥୀ ଜଣେ କବି-ବାନ୍ଧବୀଙ୍କୁ.........................

 

ରଚନା ସମ୍ପର୍କରେ

 

ତନ୍ଦ୍ରାର ବିଲୟ ଓ ଜାଗରଣର ଉନ୍ମେଷ ଭିତରେ ଦିନେ ଜଏଦେବଙ୍କ ସହ ସାକ୍ଷାତ ଘଟିଲା । ପଶ୍ଚିମ ଓଡ଼ିଶାର ଗୋଟିଏ ଛୋଟ ରେଳ ଷ୍ଟେସନରେ ସଂଧ୍ୟାର ପ୍ରୟାନ୍ଧକାର, ଏକ ଆଦିବାସୀ ଯୁବତୀର ଗଭାରେ ପୁଷ୍ପ ମଣ୍ଡନ କରି ସେ ଫେରି ଆସି ଥାଆନ୍ତି । ଦେହହାତରେ ତାଙ୍କର ସେ ପର୍ଯ୍ୟନ୍ତ ଫୁଲର ଗନ୍ଧ ଲାଗି ରହିଥାଏ । ସେ ହଠାତ୍‌ କହିବସିଲେ, ଏବେ ତମେସବୁ ଅର୍ବାଚୀନ ବିଦେଶୀ ଲେଖା ପଢ଼ ଭାରି ଖୁସି ହେଉଚି । ମୁଁ ଦ୍ୱାଦଶ ଶତାବ୍ଦୀରୁ ଦେହବାଦୀ-କବିତା ଲେଖି ଗଲିଣି; ତାକୁ ଥରେ ନୂଆକରି ଦେଖନ୍ତନି.........

 

ତାହା ପରେ ଏହି ଲେଖାର ଆତ୍ମପ୍ରକାଶ । କେତେକ ଅତିରଞ୍ଜିତ, ଅତିକଥନ ଓ ସୀମାତି ରକ୍ତତାକୁ ଏଥିରେ ସାମାନ୍ୟ ଏଡ଼େଇ ଦିଆଯାଇଛି ।

 

ଜ୍ଞାନୀନ୍ଦ୍ର ବର୍ମା

***

 

ରାଧିକାର ଦେହରେ ଉତ୍ତାପ ।

କନ୍ଦର୍ପର ଜର କଥା, ପଦ୍ମାବତୀ,

ତମେ କିଛି ଜାଣିଚ, ଜାଣିଚ ?

ବର୍ଷା ଓ ବସନ୍ତ

ସବୁ

ରାଧିକର ପାଇଁ

ଭୟାନକ ହୁଏ,

ଅତି ସାଂଘାତିକ ମାଧବୀ ଫୁଲର

ନରମ ପାଖୁଡ଼ା ଠାରୁ

ଆହୁରି କୋମଳ

ରାଧିକାର ଦିହ ।

 

ମୋର

ସକଳ ଦେହ-ସତ୍ତାର ବିରୁଦ୍ଧରେ

ଷଡ଼ଯନ୍ତ୍ର

କନ୍ଦର୍ପ କରିଛି । ରାଧା,

ମୁଁ ଜାଣିଛି କୁହୁକ ଓ ମାୟା,

ନୁହେଁ କିନ୍ତୁ ମୁକ୍ତି ପାଇଁ

କନ୍ଦର୍ପ ହାତରୁ,

 

ମାତ୍ର

ତା’ ଷଡ଼ଯନ୍ତ୍ରକୁ

ପୂର୍ଣ୍ଣ ରୂପେ ଚରିତାର୍ଥ କରି

ଉପଭୋଗ କରିବାକୁ ତମରି ଏ

ଉଚ୍ଛନ୍ନ ଯୌବନ

ଜାଣେ ମୁହିଁ ମାୟା । ଶ୍ରୀକୃଷ୍ଣ କହିଲା ।

 

ଯା ! ହେଇ ମୋର ମାୟାରେ ଘନ ନୀଳ ମେଦୁର

ମେଘ ଘୋଟି ଆସିଲାଣି,

ତମେ ବାପାଙ୍କ ପାଖକୁ ଚାଲିଯା, ରାଧା,

ଗୋଗୋଷ୍ଠ ଗୋଡ଼େଇ ଆଣିବା ପାଇଁ

ସେ ତମକୁ ମୋରି ପାଖକୁ ପୁଣି

ପଠେଇ ଦେବେ,

ଆମେ ବଣକୁ ଯିବା । ହୁଏତ ତମର

ଦ୍ରାପି ଓ ନିଚୋଳ ପୂରାପୂରି ତିନ୍ତିଯିବ, ଆଉ,

ସେଇଠି, ଆଜିର ଏଇ ଆଗାମୀ ବର୍ଷା ଭିତରେ

ତାଳ...ତମାଳ..., ଆଉ କଣ ?

ଆଉ ଗୋଟା କଣ ଉପମା କୁହ ରାଧା ?

 

 

 

ପଦ୍ମ ।

ପଦ୍ମାବତୀ ପାର୍ଶ୍ୱ ପରିବର୍ତ୍ତନ କଲା । ବିସ୍ରସ୍ତା ।

ଜଏଦେବର ଆଖିରେ ନିଦ ନାହିଁ ।

ତମାଳର ସ୍ୱପ୍ନ । ହଁ, ପଦ୍ମାବତୀର ମୁହଁ । ପଦ୍ମ ।

 

ତମାଳଟା ଶୈଶବର ସ୍ୱପ୍ନ । ପଦ୍ମାବତୀର

ନିର୍ବାସ ବିକ୍ଷଦେଶକୁ ଅନେଇ

ହସିଉଠିଲା ଜଏଦେବ ।

 

ପଦ୍ମବତୀ, ବର୍ଷା ହେଲା ବର୍ଷା,

ମାୟା ଆଉ କୁହୁକର ବର୍ଷା । ଜ୍ୟୋତ୍ସ୍ନା

ନିଭିଗଲା ଏତେ ଥଣ୍ଡା । ତମେ,

ଖାଲି ଦିହରେ ଶୋଇ ପାରୁଚ ପଦ୍ମା ।

ନାଁ,

ମୁଁ ଆଉ କାବ୍ୟ ଲେଖି ପାରିବିନି ।

 

ଯମୁନା ଓ

ବୃନ୍ଦାବନ

ଅସତ୍ୟ...

 

 

 

ତମେ ଯମୁନା, ବୃନ୍ଦାବନ

ଆଉ କୃଷ୍ଣ...ହଁ ହଁ, ଶ୍ରୀକୃଷ୍ଣ,

ଏସବୁ କଥା ଜାଣିଚ, ପଦ୍ମାବତୀ,

ତମେ ?

 

ପରିପୂର୍ଣ୍ଣ କାନ୍ଦର୍ପ ପରିବେଶ । ନିଦ ଭିତରେ

ଉତ୍ତର । ଶୁଣିଚି । ପୁଣି ଶୁଭିଲା

ପଦ୍ମାବତୀର ସ୍ୱର:

କଣ ମାୟାରେ ବର୍ଷା ହବ ବୋଲି

କହୁଥିଲ ସନ୍ଧ୍ୟାବେଳେ ?

 

ହସିଉଠିଲା ଜଏଦେବ । ତମେ

ଜାଣି ପାରିନ ପଦ୍ମା, ବର୍ଷା,

ନୀଳ

ଅତି ଗାଢ଼ ନୀଳର ବର୍ଷା । ସାରା

ପ୍ରାଚୀ ଆଉ ଚନ୍ଦ୍ରଭାଗାର ତଟ ଭୂମିଟା

ପାଣିରେ ଭାସି ଯାଇଛି ।

ମେଘୈର୍ମେଦୁରମମ୍ବରଂ ବନ ଭୂବଃ

ଶ୍ୟାମସ୍ତମାଳ ଦ୍ରୂମୈ...

 

ଆରେ, ତମେ ପୂରାପୂରି ତିନ୍ତିଗଲ

ରାଧା ! ଫିଙ୍ଗିଦିଅ, ଓଦାଲୁଗାଗୁଡ଼ାକ

ଆଉ ଦିହରେ ରଖି ହବନି । ଆହୁରି

ପାଖକୁ ଘୁଞ୍ଚିଆସ । ଏଇ ଶୀତଳ ବର୍ଷା ଭିତରେ

ତମ ଦିହଟା କି ଉଷୁମ ! ଦ୍ରପିଟା

ଖୋଲି ଦେଲା ପରେ

କି ସୁନ୍ଦର ଦେଖା ଯାଉଚି ତମର ବକ୍ଷ ।

ସନ୍ଧ୍ୟାର ତିରସ୍କରିଣୀ ଖସିଗଲାଣି, କିନ୍ତୁ

ସଙ୍କୋଚର ଗୋଟା ଦ୍ରାଘିମା ରହୁଚି

ତଥାପି । ମୋର ଏଇ ଉତ୍ତରୀଟା ହେଉ ଆଜି

ତମ ନଗ୍ନତାର ସନ୍ତ୍ରୀ । ତମେ ଘୁଞ୍ଚି ଆସ

ଆହୁରି ପାଖକୁ ।

 

ଜନ୍ତୁ ଓ ମଣିଷ

କୀଟ

ଆଉ ଜୀବ

ପତଙ୍ଗର

ଛୋଟ ଏଇ ପୃଥିବୀ ଖଣ୍ଡକ

ହଠାତ୍‌ ଦୋହଲି ଗଲା ।

ପ୍ରଳୟ । ପ୍ରଳୟ ।

ପ୍ରଳୟର ପୟୋଧିର ଜଳେ

ସ୍ରଷ୍ଟା

ଧରି ଏକ ମାଛର ଆକୃତି

ଶଙ୍ଖା ନାମେ ଅସୁରକୁ

ହତ୍ୟା ସେ କରିଲେ । ତାହାଠାରୁ

ଉଦ୍ଧାରିଲେ ବେଦ ।

 

ପଦ୍ମାବତୀ, କୁହ ତମେ କଥା,

ସ୍ତନର ଉତ୍ତୁଙ୍ଗ ବୃନ୍ତେ

କମ୍ପନ ଖେଳାଇ

ନୃତ୍ୟ ତମେ କରିଗଲ କେତେ;

ଶୁଣ, ଶୁଣ, ଏବେ ମୋ କବିତା ।

 

ମୋ ଚକ୍ଷୁରେ କ୍ରମେ କେତେ ରୂପ ଭାସି ଉଠେ:

ଅସ୍ପଷ୍ଟ ଓ ହିରଣ୍ମୟ ଆଲୋକର ତଳେ

ଶତ ଶତ ଗମନାଗମନ, ଏ ସୃଷ୍ଟିର

ପରିବର୍ତ୍ତନର ଭିନ୍ନ ଭିନ୍ନ ରୂପ ।

ଦେବତା ସେ ହୋଇଯାଏ

ଗୋଟିଏ କଚ୍ଛପ । ଏ ସୃଷ୍ଟିର

ବିକାଶର ମୂଳ ସୂତ୍ର ଧରି

ମାଛ ପରେ କଇଁଛ ତା’

ଖୋଳର ଭିତରୁ ଜଳ ଆଉ ସ୍ଥଳ ଭାଗେ

ମୁହଁ ଖୋଲିଦିଏ ।

 

ବାର୍‍ହା । ଡାହାଣକୁ କରମୋଡ଼ି,

ବାଆଁ ପଟେ ଝୁଙ୍କି, ବାସୁକୀର

ଫଣା ଗଲା ବାଙ୍କି । ଧରଣୀ ସେ

ପାରିଲାନି ଧରି ।

ପୃଥିବୀ ପେଣ୍ଡୁଟା

ଗଡ଼ି ଗଡ଼ି ଗଲାବେଳେ

ରସାତଳ ଆହୁରି ତଳକୁ

ସେ ଦେବତା ବରାହର ରୂପେ

ତାକୁ ଟେକି ଦାନ୍ତରେ ଧରିଲେ ।

 

ଦେବତାର ଏ ଅଦ୍ଭୁତ କଥା ।

ଶହ ଶହ ଲକ୍ଷ ଲୋକ

ଆମେ ଯେଉଁ ପୃଥିବୀରେ ରହୁ

ଜୀବଜନ୍ତୁ ଆହୁରି ଆହୁରି

ସମୁଦ୍ରର ସବୁ ପାଣି, ଏ ପର୍ବତ ଯାକ

ଅତୀତରେ ଦିନେ

ଟେକି ହେଇ ଶୁକରର ଦାନ୍ତରେ ରହିଲା ।

 

ତାହାପରେ ବିଚିତ୍ର...ବିଚିତ୍ର...

ସକଳ ସାଗର ବେଳା, ବନ ଗିରି

ସକଳ ପାହାଡ଼, ନୀଳ ନାଲି

ଶ୍ୟାମଳ ଧୂସର ସକଳ ବର୍ଣ୍ଣର

ବିସ୍ତୀର୍ଣ୍ଣ ଏ ଜଳ ଆଉ

ସ୍ଥଳଭାଗ ସବୁ

ଦେବତାର ପଦେ ସବୁ ଲୀନ ହୋଇଯାଏ ।

ଜଳ ହୁଏ ନିଆଁ,

ନିଆଁ ପୁଣି ହୋଇଯାଏ ପାଣି । ଭାସି ଉଠେ

ମନୁଷ୍ୟ ଓ ପଶୁର ଆକୃତି...

କରେ ତାର ଅଦ୍ଭୁତ ନଖର

ମରି ଯାଏ ହିରଣ୍ୟ କଶିପୁ ।

ସୁବର୍ଣ୍ଣାଭ ନର ରୂପୀ ଜୀବ ।

 

ସୃଷ୍ଟି-ଚକ୍ର ଘୂରି ଯାଏ ଯୋଗମାୟର ନିଦ୍ରାର

ଭିତରେ । ସାଗରର ସବୁ ପାଣି ରହି ଯାଏ

ଗୋଟିଏ ଶଙ୍ଖରେ । ପୁଣି ସେହି

ଦାନବାରି ପିଚ୍ଛିଳ ପ୍ରାଙ୍ଗଣେ

ସତ୍ୟର ହୁଅଇ ଲୋପ,

ପ୍ରବଞ୍ଚନା ଲଭଇ ପ୍ରକାଶ ଦାତା

ମରିଯାଏ

ବାମନର ତ୍ରିପାଦ ଯାତ୍ରାରେ ।

 

ଆସେ ଆସେ ପଦ୍ମାବତୀ, ସୃଷ୍ଟି ପରେ ଦେଖ,

ବାମନ ସେ ପ୍ରଥମ ମାନବ ।

ବିନ୍ଦୁ ବିନ୍ଦୁ ରକ୍ତ ଖାଲି,

ହତ୍ୟା ଆଉ ଅଶ୍ରୁ

ଭରିଯାଏ ପବନର ପ୍ରତ୍ୟେକ ଭ୍ରୂଣରେ;

ରାଜନ୍ୟର ମୁଣ୍ଡ ଛିଣ୍ଡେ

କବନ୍ଧଟା ଡିଏଁ

ଆକାଶରେ ଚକ୍ର ଦିଏ ଚିଲ ।

ତମ୍ବା କି ଲୁହାର

ଏତେ ଦୂରୁ ଠିକ୍‌ କରି ଦେଖାଯାଏ ନାହିଁ

ପରଶୁ ସେ ଏକ

ଦିଗ୍‍ଦିଗନ୍ତେ ଅଶ୍ରୁ ଭରି ଯାଏ ।

ଭୃଗୁ ।

ସୃଷ୍ଟିରେ ଭରଇ ହତ୍ୟା, ନରହତ୍ୟା, ମାତୃହତ୍ୟା ପୁଣି,

ଭ୍ରାତୃ ହତ୍ୟା ଖାଲି । ଅବଶେଷେ

ଦେବତାର ହୁଅଇ ପତନ, ମହନୀୟ

ଦେବତାର ପାଶେ ।

 

ବୈତରଣୀ କୂଳେ ବସେ ଦୀର୍ଘତମା ଋଷି ।

ପାଷାଣ ପାଲଟି ଯାଏ ସୁନ୍ଦରୀ ସେ ଏକ

ଅଥର୍ବର ପ୍ରଣୟିନୀ ସାଜି । କୁଣ୍ଠିତା । ଧର୍ଷିତା ।

 

ଦେବତାର ପାଦ ବାଜି

ପୁଣି ହସ ଫୁଟେ । ଦଶ କଣ୍ଠ ହତ୍ୟା ପରେ ମୁଣ୍ଡ ତାର

ଦଶଦିଗପାଳେ ବଳି ଦେଇ

ହୁଏ ପୁଣି ସୀତାର ଉଦ୍ଧାର । ଦେବତାର ପରାଜୟ ଗାଇ

 

ଶମ୍ବୁକର ମୃତ୍ୟୁଘଟେ ଦେବାଲାଗି ଆନର

ଜୀବନ । ସାଗରରେ ସେତୁ ବନ୍ଧ ଭାସେ ।

 

ଆର୍ଯ୍ୟର ବିଜୟ ଆଉ

ଦାସ-ଦ୍ରାବିଡ଼ର

କିନ୍ତୁ ପରାଜୟ ।

ଆବିସିନ୍ୟା-ନାରୀ ସେ ନିକଷା । ରାବଣ ।

ତା’ ପୁତ୍ରର ସ୍ପର୍ଶ ଲାଗି ସ୍ୱର୍ଣ୍ଣ ଜଳି ଜଳି ଯାଏ ।

ସୁନାର ମୂର୍ତ୍ତିଟା ଆଉ କହେ ନାହିଁ କଥା ।

 

ଧାନ ଆଉ

ଯବାରି

ଗହମ

ଖେତରେ ହସିଲା

ବଞ୍ଚିବାର ମିଳିଲା

ଖବର ।

ପଶୁ ମାଂସ ନୁହେଁ ଆଉ ନର-ଭୋଜ୍ୟ ଖାଲି ।

ଧାନ ଆଉ ଗହମ ଗଛରେ ଫୁଟିଲା ସଙ୍ଗୀତ ।

 

ଆସିଗଲେ ହଳଧର ଅଧିପତି ଭୂମି କର୍ଷଣର ।

ଜନତାର ଦେବତା ଶୋଭିଲା ।

ଉଦ୍‍ବେଳିତ ଆନନ୍ଦର ହସେ

ତନୁ ଶୁଭ୍ର ହେଲା । ବିଷାଦ ବିଧୌତ ହୋଇ

ବସ୍ତ୍ର ହେଲା ଜଳଦାଭ ନୀଳ । କାଦମ୍ବରୀ

ଫେନିଳେ ଫେନିଳେ

ଘୂର୍ଣ୍ଣିତ ଚକ୍ଷୁର ଲାଲ

ବିମ୍ବ ବିଭାତିଲା ।

 

 

 

ଚୁପି ଚୁପି କଥା କହ,

ଆସ୍ତେ ଆସ୍ତେ ଭାଷା ।

ଦିଗନ୍ତରେ ଏତେ କାଳେ ହସି ଅଛି ଉଷା ।

ପୃଥିବୀର ଗୋଲକର ପରେ

ଆଜି ଲାଗେ କେବଳ ଆଲୋକ ।...

 

ରାଜପୁତ୍ର ନଇଁ ଆସେ ମୁନୀନ୍ଦ୍ରର ବେଶେ,

ପଶୁର ଉତ୍‌ଥାନ ହୁଏ, ମାନବର ଜୟ ।

ପର୍ଯ୍ୟସିତ ହୁଏ ବେଦ, ନିନ୍ଦିତ, ତ୍ୟେଜିତ

ଯଜ୍ଞ ବେଦୀ ଧୂଆଁର କୁଣ୍ଡଳୀ

ବିଜ୍ଞାନର ପ୍ରାବୃଷାରେ ନିଭି ନିଭି ଯାଏ ।

ଦେବତାର ଦେହେ ଶୋଭେ

ବୁଦ୍ଧର ଶରୀର ।

ଜୟ ଜୟ

ଜଗତ ଈଶ୍ୱର । ଇତିହାସ,

ବିପ୍ଳବ ବିପ୍ଳବ । ଆଲୋକେ ଦିଶିଲା ପଥ

ଚାଲ ଏବେ ଆହୁରି ଚାଲିବା । ଚାଲ, ଚାଲ,

ଲୁମ୍ବିନୀ ଓ କପିଳ ବାସ୍ତୁକୁ । ଜାପାନ ଓ ତିବ୍ଦତ, ଚାଇନା,

କୋରିଆ, ସିଂହଳ,

ସାଇବେରିଆ,

ତାସ୍କନ୍ଦ, ଇରାନ୍‌ । ଆର୍ଯ୍ୟାୟଣ ବୈଜୋ ।

 

ହୋଇଯାଏ ଏଥେନ୍‌ସ ନୀରବ ।

ପଲସ୍ତରା ଖସି ଯାଏ

ଝଡ଼ି ପଡ଼େ ଇଟା

ଉପଳର

ଶଙ୍ଖ ପ୍ରସ୍ତରର

ଯୋଡ଼ ସବୁ ହୁଅଇ ହୁଗୁଳା ।

ଆଲୋକର ସେ ପ୍ରାସାଦ ଭାଙ୍ଗିଯାଏ ପୁନଶ୍ଚ, ପୁନଶ୍ଚ

 

ପୁଣି: ମଣିଷ ହୁଅଇ ପଶୁ । ମଧ୍ୟାହ୍ନେ

ଅଂଧାର ଘୋଟି ଭରିଯାଏ ମ୍ଳେଚ୍ଛର ଚିତ୍‌କାର ।

ଅରଣ୍ୟରେ ଖାଲି ହୁଏ ଅନଳ ସଂଚାର ।

ତେର ହାତ ଘୋଡ଼ା ପରେ

ବାରହାତ ଖଣ୍ଡା,

ଅଶ୍ୱର କଦମ୍ବେ ହୁଏ

ଅଗ୍ନି ଉଦ୍‌ଗୀରଣ ।

ହୁଏ ହୁଏ ହେବ ହେବ

କଲ୍‌କୀ ଆଗମନ ।

 

ପଦ୍ମାବତୀ, ରୂପ ଆଉ

ଯୌବନର ପୂଜା

କରିବାର ଆଗୁ

କର ଏହି ଧ୍ୱଂସ-ଦେବତାରେ

ଗୋଟିଏ ପ୍ରଣାମ ।

 

ସ୍ତନ ।

ପୃଥୁଳ ଓ କ୍ରମ ସୂକ୍ଷ୍ମ, କେଉଁ ଏକ ଗିରିଶୃଙ୍ଗ ପରି

ସୂକ୍ଷ୍ମ ତାର ପ୍ରବାଳର ବୃନ୍ତ ।

ଜନ୍ମଦାତା କ୍ଷୀର ସାଗରର ଫେଣ ଭଳି ।

ଶୁଭ୍ର ଓ କୋମଳ,

ପୁନଶ୍ଚ କଠିନ ।

କମଳାଙ୍କ କୁଚ ମଣ୍ଡଳକୁ

ଏ ଜଗତ ଆଶ୍ରାକରି ରହିଅଛି ଯାକୁ

ସେ ଦେବତା ଆଶ୍ରା କରି

ରହିଛନ୍ତି ସଦା ।

ସେ ଦେବତା ପୃଥିବୀର ଅନ୍ଧକାର ରାଶି

କରନ୍ତି ବିନାଶ ।

ମୁନିମାନଙ୍କର ମନ-ମାନସ ହ୍ରଦର

ହଂସ ଯଥା ସିଏ ।

ମନୋହର ବନଫୁଲମାଳ

ତାହାଙ୍କ ଗଳାରେ । ମଣିମୟ

କୁଣ୍ଡଳ କାନରେ ।

 

ଜୟ ହେଉ,

ଜୟ ତାହାଙ୍କର ।

 

ଦୁର୍ଗତିର ବିଷଧର ସାପ ଲୁଚିଥିଲା କାଳିନ୍ଦୀର

ନୀଳ ଊର୍ମି ତଳେ, ତାକୁ ଦଳି ଜନମନ

ରଂଜନ କରିଲେ । ମଧୁ ଆଉ ମୁର, ପୁଣି

ନରକ ଅସୁର, ତାଙ୍କୁ ସିଏ ମାରିଲେ

ମାରିଲେ ।

 

ଯଦୁ କୁଳ-ପଦ୍ମବନେ ସୂର୍ଯ୍ୟ ସିଏ, ହରି,

ଗରୁଡ଼ ଉପରେ ବସି ଦେବତାଙ୍କୁ

ନନ୍ଦିତ ସେ କଲେ ।

ଜୟ ହେଉ

ଜୟ ତାହାଙ୍କର ।

 

ତାଙ୍କର ପଦ୍ମନେତ୍ର ଅତି ସ୍ୱଚ୍ଛ...ତାହା

ଜଗତର ଆତଙ୍କ ସଂହାର କରେ । ସ୍ୱର୍ଗ,

ମର୍ତ୍ତ୍ୟ, ପାତାଳ: ଏହି ତିନି ଭୁବନରେ

ବ୍ରହ୍ମ

ସିଏ ଏକା ପୂରି ରହିଛନ୍ତି ।

ସେହି ରାମ କୃଷ୍ଣ ଆଉ ହରି...

 

ଜନକର ଦୁହିତାର ହୃଦୟରେ ସେହି...

ସେ ଦେବତା ଅଧିପତି ହେଲେ,

ଦଶକଣ୍ଠ ଦୁଷ୍ଟ ରାବଣକୁ

ସେ ଦେବତା ଜିଣି

ଅଭିନବ ଜଳଧର ସୁନ୍ଦର ତନୁରେ

ମନ୍ଦରକୁ ସିଏ ଧରିଥିଲେ ।

ଲକ୍ଷ୍ମୀଙ୍କର ମୁଖ-ଚନ୍ଦ୍ରମାର

ସିଏ ସିଏ ପ୍ରମତ୍ତ ଚକୋର ।

ଜୟ ହେଉ,

ଜୟ ତାହାଙ୍କର ।

କାବ୍ୟର ପ୍ରାରମ୍ଭେ କରେ

ଜଏଦେବ

ତାଙ୍କୁ ନମସ୍କାର ।

 

 

 

ମୋ ହାତକୁ ଶକ୍ତ କରି ଧର, ରାଧା,

ହେଇ ଦେଖ, ଲଳିତ ଏ ଲବଙ୍ଗର ଲତା,

କହିଲା ଲଳିତା, ନୂଆ ନୂଆ

କଅଁଳିଆ ଶାଖା ପତ୍ର ଧରି

ଶୀତଳ ଏ ମଳୟର ପବନରେ ଝୁଲେ ।

 

ରାଧାର ଦିହରେ ଆଜି ପ୍ରବଳ ଉତ୍ତାପ । ଜର,

କନ୍ଦର୍ପର ଜର; ଶିରାରେ ଶିରାରେ ଖାଲି

କାମ-ଉଦ୍ଦୀପନା ।

 

ଚାରିଆଡ଼େ

ବସନ୍ତର ନୃତ୍ୟ, ବିରହିଣୀ ରାଧାର ପକ୍ଷରେ

ସବୁ ଅତି ସଂଘାତିକ ହେଲା ।

ମାଧବୀ ଫୁଲର ଠାରୁ ରାଧା ଦିହ

ଆହୁରି ନରମ,

ସୁକୁମାର ଗୋଡ଼ର ତଳିପା । କନ୍ଦର୍ପର

ତାଡ଼ନାରେ କିନ୍ତୁ ବାଧୁ ନାହିଁ ଜମା । ଆହୁରି

ଚାଲୁଛି । ବିରହକୁ ବିନାଶିବା ପାଇଁ

ମିଳନର ନଗ୍ନ ସଘଂର୍ଷରେ,

ଖୋଜୁଛି କୃଷ୍ଣକୁ ।

ଭଅଁର କୋଇଲି

ଫୁଲ

କଅଁଳିଆ ପତ୍ର

ମହୁମାଛି ।

ଧର, ମୋ ହାତକୁ ଶକ୍ତକରି ଧର ।

ରାଧା ! ପୁଣି ତାକୁ ଲଳିତା କହିଲା ।

ବିଯୋଗିନୀ ବିନାଶର ପାଇଁ ଆୟୋଜନ ସବୁ,

ଏ କାଳରେ ଯେ ନାରୀର ପତି ନାହିଁ ପାଶେ

କାମର ଉତ୍ତାପେ

ବିଳାସ କରଇ ଖାଲି

ପଥିକ ବନିତା ।

 

କସ୍ତୁରୀ ନେଶିଚି କିଏ ? ନବଦଳ

ତମାଳର ଏ ବଣକୁ ଦେଖ ।

ପଳାଶର ଏ ରକ୍ତ ଉତ୍ସବ

ହୃଦୟକୁ ବିଦାରିବା ପାଇଁ;

ନାଗେଶ୍ୱର ଫୁଟିଛି ହସୁଚି

ମଦନର ସ୍ୱର୍ଣ୍ଣ ଦଣ୍ଡ କିବା !

ପାଟଳିରେ ମଧୁପ ଗୁଞ୍ଜନ...

ମଦନର ଭାଷା ।

ଦନ୍ତୁରିତ ଏ କେତକୀ

ଫୁଟିଅଛି ଦେଖ, ବିରହୀ କି

ବିଦାରିବା ପାଇଁ । ପୁରୁଷର ପରାଜୟ

ନାରୀରେ ଯେପରି, ଚୂତର ବକୁଳ ।

ବସନ୍ତର ଆଗମନେ ସହସ୍ର ପୁଷ୍ପଚ

ଲୀଳା ଭୂମି ହୋଇଅଛି ବୃନ୍ଦାବନ ଆଜି,

ଶ୍ୟାମଳ କୁଞ୍ଜରେ ଖାଲି ପୁଷ୍ପର ସ୍ତବକ,

କାକଳି ଓ ମଧୁପର

ମୁଗ୍‌ଧ ଗୁଞ୍ଜରଣ ।

 

ତଥାପି ସେ ରାଧା ଓ ଲଳିତା

ଆହୁରି ଚାଲିଲେ । ମଳୟର ଆଲିଙ୍ଗନ

ଭିତରେ ଭିତରେ

ବହିଯାଏ ଯମୁନାର କାଚ ନୀଳ ଢେଉ,

କେତକୀର ଗନ୍ଧ ବହି ମୃଦୁଳ ପବନେ

କାମ-ଶରେ ଦହି ଦିଏ ପ୍ରାଣ । ରାଧା,

ହାତ ମୋର ଶକ୍ତ କରି ଧର,

ଏପରି ଦିନରେ ଛାଡ଼ି ଏ ତୋହର

ସୁକୁମାର ତନୁ

ମାଧବ ସେ ଆଉ ଆଉ ନାରୀର

ମେଳରେ

କାଳ କାଟି ଦେଲେ !

 

ରାଧିକା ସେ ମାରିଲା ନିଶ୍ୱାସ । ଦୀର୍ଘ ଶ୍ୱାସ

ଏକ । ଲଳିତା ହାତରୁ ନିଜ ହାତ ତାର

ଖସି ଖସି ଗଲା । କହିଲା ଲଳିତା ପୁଣି,

ଦିଶିଯାଏ ମୋତେ

ଚୁମ୍ବନ ଓ ପରିରମ୍ଭ ଖାଲି: ନିତମ୍ବତୀ

ନାରୀ ଏକ ହେଇ ପୃଥୁଳ ସ୍ତନକୁ ଲଦି

କୃଷ୍ଣ ମୁଖେ ଦିଅଇ ଚୁମ୍ବନ;

ହେଇ ଏକ ନାରୀ ସହ ପରିରମ୍ଭ ସାରି

କୃଷ୍ଣ

ଚାଲିଗଲେ ଆରେକ କୁଞ୍ଜକୁ । ହେଇ,

ନାରୀ ଏକ ପଞ୍ଚମର ସ୍ୱରେ ଗାଏ ଗୀତ ।

ରମଣ ପାଇବା ପାଇଁ ଆନ କରେ

ବଚନର ଚାଟୁ । ହେଇ ହେଇ

କୃଷ୍ଣ ତନୁ ଭିଡ଼ି ଧରେ ପୁଣି

ମତ୍ତକାଶୀ ଏକ । ନବୀନ କାଶିନୀ ଏକ

ବ୍ରୀଡ଼ିତରେ ଟାଣିନିଏ ବସ୍ତ୍ର ।

ବହୁ ଗୋପୀ ଏକ ହୋଇ ହୋଇ,

କୃଷ୍ଣକୁ ଧରିଲେ; ଛାଇ ଦେଲେ ଅଙ୍ଗ ତାର

ଚୁମ୍ବନେ ଚୁମ୍ବନେ ।

 

ଓଃ ! ଏ ବୃନ୍ଦାବନର କଥା...

ପ୍ରଭାତ, ନିଶୀଥ, ସଂଧ୍ୟା, ଅପରାହ୍ନ ସବୁ

ଜାଣିଛି ଜାଣିଛି । ହେ ଲଳିତା,

କହ ନାହିଁ ଆଉ; ମୋର ବିନା

ମାଧବର ରାସକ୍ରୀଡ଼ା ବୃନ୍ଦାବନେ ହୁଏ

ଭାବି ପାରେ ନାହିଁ ।

 

ଜଘନ ଓ ସ୍ତନ,

ଗଣ୍ଡ

ଏ ସବୁ କୃଷ୍ଣରେ ଦେଇ ଛିନ୍ନ ଭିନ୍ନ

ଦୀର୍ଣ୍ଣ କରାଇବି । ହେ ଲଳିତା,

ମିଳନର ଆୟୋଜନ କର ।

 

ଫିଙ୍ଗି ଦେବି କାଞ୍ଚଲା, ନିଚୋଳ; ବିବସ୍ତ୍ର,

ବିଶ୍ୱସ୍ତ;

ବିବିକ୍ତ ମିଳନ ହେବ ପ୍ରଳମ୍ବ ପ୍ରଚୁର

ରାତ୍ରି ହେବ ସୁଖରାତ୍ରି, ଆନନ୍ଦ ବିଭୋର

ଏକୀକୃତ ଦୁଇଗୋଟି ରତି କୀର୍ଣ୍ଣ ବିଦୀର୍ଣ୍ଣ ତନୁରେ

କେବଳ କେବଳ

ହେବ ଖାଲି ଅତନୁର ତପ୍ତ ଆରାଧନା ।

 

ଯମୁନା ପାଣିରେ

ଉଠେ

ଭଙ୍ଗା ଭଙ୍ଗା

ଢେଉ,

ରାଧାର ମୁହଁରେ

ଝାଳ

ମୁକ୍ତା ବିନ୍ଦୁ ବିନ୍ଦୁ ।

ପବନରେ ବହିଯାଏ

ଫୁଲର ସୁବାସ,

ରାଧିକାର ଖସାଫୁଲ

ନାକର ପୁଡ଼ାରେ

ଦୀର୍ଘଶ୍ୱାସ ଖାଲି ।

 

ରାଧା, ହାତ ମୋର ଆଉ ଥରେ ଧର,

ଯିବା, ଆଉ କିଛି ଆଗକୁ ଆଗକୁ ।

ହୁଏତ ଭେଟିବା ଆମେ ଦେହ-ଦୋହନର

କୃଷ୍ଣ ସେହି, ଆମରି ସଖାକୁ ।

 

ନୀଳ ରାତ୍ରି । ନୀଳ ନୀଳ ଦ୍ରାପି ଓ

ନିଚୋଳ । ନୀଳ ମୋର ଚିକୁର ସମ୍ଭାର । ନୀଳ ନୀଳ

କାଞ୍ଚଲା ଦୁକୂଳ । ନୀଳ ତମାଳର ପତ୍ରେ

ବିଛାଇବି ଶେଯ । ନୀଳ ଅଂଧକାର ତଳେ

ଲୁଚି ମୁଁ ବସିବି; ତମେ ଆଣ

ସେ ନୀଳ ଯୁବାକୁ । ହେ ଲଳିତା,

ଥାଉ, ଏ ସଂଧାନ ହେବନି ହେବନି,

ନୂଆ ଏକ ମିଳନର

ଆୟୋଜନ କର ।

 

ନୀଳ ମୟୂର ପୁଚ୍ଛର ଚନ୍ଦ୍ରିକାମାଳି ଦେହରେ କୁଟିଳ

କେଶ ଗୁଚ୍ଛର ମଣ୍ଡନ । ଯେପରି ଇନ୍ଦ୍ରଧନୁର ଅରଣ୍ୟ,

ତାହାର ମୋହନ ଚୂଳକୁ ଚାହିଁଲେ ଚିତ୍ତ

ଆକୁଳ ହୁଏ । ଗୋପର ନାୟିକା ନିତମ୍ବିନୀମାନେ

ସେହି ମୁଖମଣ୍ଡଳ ଚୁମ୍ବନ କରିବାକୁ

ସତତ ବ୍ୟଗ୍ର...

ଦେହ- ଦୋହନର ସେହି ପ୍ରମତ୍ତ ଯୁବକ, ଯିଏ ସହସ୍ର

ବ୍ରଜନାରୀକୁ ନିଜର କୋଳରେ ଦିଏ ଆଲିଙ୍ଗନ ।

ପୀନ ପୟୋଧରର ସମଗ୍ର ପରିସର ମର୍ଦ୍ଦନରେ

ଯାହାର ହୃଦୟ-କପାଟ ଅତି ନିର୍ଦ୍ଦୟ, ଯାହାର

ଭାଲପଟରେ ଅସିତ ମେଘ ପଟଳରେ ଶଶିମଣ୍ଡଳ

ସଦୃଶ ଚନ୍ଦନ-ବିନ୍ଦୁର ତିଳକ, ଅପୂର୍ବ ରୂପର

ଜ୍ୟୋତି ପ୍ରକାଶ କରି ଯେ କୁଞ୍ଜବନର ଅନ୍ଧକାର

ନାଶ କରେ, ଯାହାର କର୍ଣ୍ଣରେ ମନୋହର

ମଣି-କୁଣ୍ଡଳ, କଟି ତଟରେ ପୀତାମ୍ବର, ଶ୍ୱେତ

କଦମ୍ବ ତଳେ ଯେଉଁ ଆନନ୍ଦ ବର୍ଦ୍ଧନକାରୀ ଯୁବକ

ଦଣ୍ଡାୟମାନ ହୋଇ

ଅଗଣିତ ଗୋପାଙ୍ଗନାର ଗଣ୍ଡମଣ୍ଡଳରେ

ଚୁମ୍ବନ ଦାନରେ ତତ୍ପର, ସେହି ଯୁବକ,

ମୋତେ ଯେତେ ପ୍ରବଞ୍ଚିତ କଲେ ମଧ୍ୟ

ମୁଁ ତାହା ପ୍ରତି ଆକୃଷ୍ଟ ନ ହୋଇ

ରହି ପାରୁ ନାହିଁ...

 

ସେହି ନୀଳକାନ୍ତ ଯୁବକ ହିଁ ମୋର ଏକମାତ୍ର ଆନନ୍ଦ-

ଦାୟକ । ବିବିଧ ଶୃଙ୍ଗାର କ୍ରୀଡ଼ାରେ ତାହା ସହ

ରାତ୍ରି ଯାପନ କରି ମୁଁ ଯେପରି

କାମ-କାମନା ପରିପୂର୍ଣ୍ଣ କରିବି...

ହେ ଲଳିତା,

ତାହାର ଉପାୟ କର ତମେ ।

ମୁଁ ଲୁଚି ବସିଥିବି ଅନ୍ଧାରରେ

ଆସିବେ କୃଷ୍ଣ

ମୋତେ ନ ଦେଖି ବିସ୍ମିତ ହେବେ

ଦେବେ ଦଶ ଦିଗକୁ ଦୃଷ୍ଟି

କୁଞ୍ଜ ଭିତରେ ପ୍ରବେଶ କରିବେ

ସେ ହସିଉଠିବେ

ମୋତେ ଦେଖି

ହେବ ପ୍ରଥମ ସମାଗମ

ଲଜ୍ଜାରେ ମୋର ସର୍ବାଙ୍ଗ ହେବ

ସଙ୍କୁଚିତ ।

 

ଚାଟୁ ଆଉ ହାସ୍ୟ,

ମୃଦୁ ମଧୁ କଥିତ ଭିତରେ

ମୋର ଏଇ ଜଘନରୁ ସିଏ

ଦୁକୂଳ ଟେକିବେ ।

ପଲ୍ଲବ ଶଯ୍ୟାରେ ତାଙ୍କୁ ମୁଁ ଶୁଆଇ ଦେଇ

ଅତି ଦୃପ୍ତ ଆଶ୍ଳେଷ ଭିତରେ

ଦେବି ଦେବି ସଂଖ୍ୟାତୀତ

ସୁଦୀର୍ଘ ଚୁମ୍ବନ ।

ଏବଂ ତାହାପରେ

ସେ ହେବେ ଈଶ୍ୱର...

ଅତନୁର କେଳିପୁର ଏ ଦେହର

ଅଧିପତି ହୋଇ

ଅଧରୁ କରିବେ ଖାଲି ଚୁମ୍ବନର ବୃଷ୍ଟି ।

ମୁଁ ହେବି ଚଞ୍ଚଳ । ଶ୍ରମ ଝାଳେ

ଆର୍ଦ୍ର ହେବ ଦେହ । ପୁଲକିତ

କପୋତ ସ୍ଫୀତିରେ

ଆଖି

ଅଳସିତେ ବୁଜି ହେଇଯିବ ।

 

ହେ ଲଳିତା, ସଖୀ, ଆୟୋଜନ

କର ଏକ ନବ ମିଳନର,

ଉତ୍ତପ୍ତ ରତିର ରଣ ମନସିଜ ତନ୍ତ୍ରର ବିଚାରେ

ପ୍ରକାଶିବି ପରଭୃତ ନାଦ । ଫିଟିବ

କୁନ୍ତଳ, କବରୀର ଫୁଲ ସବୁ ଶଯ୍ୟାମୟ ହେବ,

ପ୍ରବାଳର ବୃନ୍ତେ ଶୋହେ

ଏ ପୃଥୁଳ ସ୍ତନ

ତୀକ୍ଷ୍‌ଣ ନଖେ କୃଷ୍ଣ ସେହି

ବିଦାରଣ କରିବେ

କରିବେ ।

ରତି ବନ୍ଧେ

କଟିର ମେଖଳା, ଆଉ ମୋର

ପାଦର ନୂପୁର କୁଞ୍ଜମୟ ଭରିବ ନିନାଦ ।

କେଶ କରି ଆକର୍ଷଣ

କୃଷ୍ଣ ମୁଖେ ଭରିବେ ଚୁମ୍ବନ,

ତନୁ ହେବ ନିର୍ଜୀବ ନିଥର

ସଂଜ୍ଞାହୀନ ମୁଁ ପଡ଼ିବି ଶୋଇ ।

 

ଲଳିତା ସେ ହଠାତ୍‌ ରାଧାକୁ

କୋଳେ ତାର ଭିଡ଼ି ଧରି ଆଲିଙ୍ଗନ ଦେଲା,

ରତି-ଉତ୍କଣ୍ଠାର ଚାପେ ସଖି ତାର

ସତେ ସତେ ହୋଇଲା

ମୂର୍ଚ୍ଛିତା !

ପୁଣି ଦୁହେଁ ଦମ୍ଭ ଧରି ଆଗକୁ ଚାଲିଲେ ।

ଚାଲିଛି ରାସର କ୍ରୀଡ଼ା ଆଖିରେ

ଦେଖିଲେ । ରାଧା...

କୃଷ୍ଣ ମୁଖେ ଅସ୍ପଷ୍ଟ ଉଚ୍ଚାର । ସ୍ତମ୍ଭିତ

ଭ୍ରୂଲତା । ଗଣ୍ଡୁ ତାର ଝାଳ ଝରିଗଲା ।

ବଂଶୀ ଖସି ପଡ଼ିଗଲା ତଳେ ।

 

ଏଥୁ ଅନ୍ତେ ଶୁଣ ଶୁଣ

ରସ,

ରସିକ ବିଦୂଷ ।...

ପତ୍ନୀ ନାମ ପଦ୍ମାବତୀ ବିଧୁମୁଖୀ

କୁଟିଳ କୁନ୍ତଳା, ଯୌବନ-ଶାଣିତ ତନୁ

ରତି ସୁପଣ୍ଡିତା

କାମ-କଳା-କେଳି-ସୁପ୍ରବୀଣା

ପଦ ତାର ସମ୍ବାହନ କରି

କେନ୍ଦୁ ବିଲ୍ୱ ଜନପଦ ବାସୀ

ଜଏଦେବ ଗାଏ

ପ୍ରେମର କବିତା:

ରାଧା ରାଧା...

ରାଧା ସେ ପ୍ରମଦା

ମାତ୍ର ଜମା ଷୋଳ ବରଷର

ନପୁଂସକ ସ୍ୱାମୀର ସେ ନାରୀ,

ନିତ୍ୟ ବିରହିଣୀ । ଉନ୍ମତ୍ତ ବସନ୍ତ କାଳେ

ପାଇ ପାଇ ମଦନରେ ବାଧା

ଧୈର୍ଯ୍ୟ ଆଉ ପାରିଲାନି ଧରି ।

 

ମଣିଷର ପାଇଁ ଯଦି ଲେଖା ଏ କବିତା

ମାତ୍ର ନୁହେଁ ମଣିଷର କଥା,

ପ୍ରେମ ଯାହା ସତ୍ୟ ସନାତନ

ମଣିଷର କୃତ୍ୟ ଯଦି

ନୁହେଁ ନୁହେଁ ମଣିଷର ଗଢ଼ା;

ମଣିଷ ସ୍ତରରୁ ଏହା ଯାଇଛି ଊର୍ଦ୍ଧ୍ୱକୁ,

ଏହା ଅପ୍ରାକୃତ ।

 

ଉତ୍ତର କୁରୁର କ୍ରନ୍ଦନ ଆଉ

ଅଶ୍ରୁ

ଦକ୍ଷିଣ କୁରୁରେ ବିଞ୍ଚିଦେଲା

ଖାଲି ହର୍ଷ ।

ଦଶ ନୁହେଁ, ଶତ ନୁହେଁ, ସହସ୍ର ସହସ୍ର

ଦେବନାରୀ ବିଧବା ଓ ଅଧବାର ଦଳ

ଦୁଧର ସର ରଙ୍ଗ ଦିଆ ଉତ୍ତୁଙ୍ଗ ବକ୍ଷୋଜା

ପତି ହୀନା ହେବାପରେ ପୁରୁଷର ସନ୍ଧାନରେ ଆସି

କୃଷ୍ଣର ପରଶେ ସବୁ ହୋଇଲେ ସଧବା ।

ଯମୁନାର ପାଣି ହେଲା ବିଭନ୍ନ ବିଭକ୍ତ

ବୃନ୍ଦାବନ ପଥ ଘାଟ, ସବୁ ଧୂଳି ମାଟି

ରତି କୀର୍ଣ୍ଣ ହେଲା ।

 

ବଳରାମ ତିଆରି କଲା ଭୂମି କର୍ଷଣରେ ଯନ୍ତ୍ର...

ଲଙ୍ଗଳ, ଲୋକଙ୍କୁ ଚାଷ କରିବା ଶିଖେଇଲା,

କଦମ୍ବ ଗଛର ରସରୁ ତିଆରି କଲା ମଦ...

କାଦମ୍ବରୀ । ସରୁ ସରୁ ବାଉଁଶ ଗଛ କାଟି

କୃଷ୍ଣ ତିଆରି କଲା ବଂଶୀ, ଲୋକଙ୍କୁ

ସଙ୍ଗୀତ ଶିଖେଇଲା, ଖୁସି ହେବା ଲାଗି ।

ଷୋଳ ହଜାର ଯୁବତୀଙ୍କି ଶିଖେଇଲା ନୃତ୍ୟ ।

ଗୋବର୍ଦ୍ଧନ ତୋଳି ଗୋଜାତିର ଉନ୍ନତି

ଆଉ ମଣିଷର ସୁରକ୍ଷା ଶିଖେଇଲା ମଧ୍ୟ ସେହି ।

ନାରୀମାନଙ୍କୁ ଦୁଗ୍‌ଧ ଉତ୍ପାଦନର

ଶିଳ୍ପ ଶିଖେଇଲା ସେହି କୃଷ୍ଣ ।

ଉଜ୍ୱଳନ୍ତ ସମୃଦ୍ଧି ଭିତରେ ପ୍ରାଣ ପ୍ରାଚୁର୍ଯ୍ୟର

ସ୍ମାରକ ଧରି ଭରିଗଲା ଆନନ୍ଦ,

ଉଲ୍ଲାସ ଆଉ ରାସ ।

 

ନିଧୁବନ-କେଳିର ସମ୍ରାଟ, କୃଷ୍ଣ, ତମେ ସତେ

ଭୁଲିଗଲ ମତେ । ମୋର ବିନେ ରାସକ୍ରୀଡ଼ା

ସମ୍ଭବ ହୋଇଲା ? ରାଧା...

ଧୈର୍ଯ୍ୟ ଆଉ ପାରିଲାନି ଧରି । ପଶ୍ଚାତରେ

ରହିଲା ଲଳିତା, ରାଧା ଗଲା ଦ୍ରୁତ ପଦେ ଚାଲି ।

 

ମୁରଲୀ ନୀରବ ହେଲା । ଫୁଲ ଆଉ

ମହୁମାଛି ଚୁମ୍ବନ ଭିତରେ ସୁନାର ମୁଖରେ

ହସି ହୀରା ମୋତି ହସ, ରାଧା,

ତମେ ଆଉ କହିବନି କଥା ?

ସ୍ୱପ୍ନର ଭିତରେ ଖାଲି ଯମୁନାର ସବୁ ପାଣି ଯାକ

ଏବେ ହେବ ଏକାଠି ଏକାଠି,

ତମ ସାଗରର ଶୁଭ୍ର ବେଳା ଭୂମି ପରେ

ଆଉ ନୀଳ ଜାହାଜର ଛାଇ ପଡ଼ିବନି !

 

ପବନରେ ଭରିଗଲା କୃଷ୍ଣର ସ୍ୱଗତ

ଏବେ ମଧ୍ୟ ଯମୁନାର ଢେଉ ଉଠେ, ପଡ଼େ,

ଯାବଟର କୁଞ୍ଜରେ କୁଞ୍ଜରେ

ଉଡ଼ିବୁଲେ ଫୁଲର ପରାଗ, ଭରିଯାଏ

ପକ୍ଷୀର କାକଳି କିନ୍ତୁ ସବୁ

କୁଜ୍‌ ଝଟିକାମୟ । ଧମନୀରେ ରକ୍ତର ସ୍ପନ୍ଦନ

କ୍ଷୀଣ ପୁଣି ଦ୍ରୁତତର ହୁଏ । ମୁଁ ତୁମକୁ

ଭୁଲି ଅଛି ସତେ ? ମୁଁ ଯାହାକୁ

କରିଲି ନିର୍ମାଣ, ତାକୁ ନିଜେ

ଭାଙ୍ଗି ଦେଇ ଅଛ ? ମତେ ଛାଡ଼ି

ସମୟର କେଉଁ ଅୟନରେ

ସେ ବଞ୍ଚିବ ପୁଣି ! ଆଉ କେଉଁ

ସାୟାହ୍ନର ବେଳା ଭୂମି ପରେ

ବ୍ୟକ୍ତ ହେବ ତା ଅବ୍ୟକ୍ତ ଭାଷା ?

ପବନରେ ଶ୍ରୀକୃଷ୍ଣର ସ୍ୱଗତ ତଥାପି ।

 

ମୁଁ ଆଉ ଶରବ୍ୟ

ନୁହେଁ ତମର,

ପଞ୍ଚଶର...

ହେ ଅତନୁ !

ତମେ ବନ୍ଦ କର

ତମ ହାତ ଶରର ସନ୍ଧାନ ।

 

ବସନ୍ତର ପୁଷ୍ପ ସବୁ, ପଲ୍ଲବ ଓ ସ୍ୱର,

ଦୁଇଟି ପ୍ରାଣର ଘନ ପ୍ରଣୟର ଲୀଳାୟିତ ବାସ

ସ୍ମୃତି-ଯମୁନାର ନୀଳ ଆବର୍ତ୍ତରେ ଘୂରି

ଅବଶେଷ ନିଃଶେଷ ହୋଇଛି ।

ହେ ଅତନୁ !

ତନୁ ମୋର ଅତୀବ ଅଶକ୍ତ, ଚୂତ-ଶର-

ଚାପେ ଆଉ ହତ୍ୟା ନାହିଁ କର ।

ତ୍ରିଭୁବନ କରିଅଛ ଜୟ । ମୂର୍ଚ୍ଛିତ ଏ

ଜୀବନକୁ ମାରି ଯଶ କାହିଁ ତୋର ?

ଧୀର ବହ ହେ ଯମୁନା...ନିଃଶବ୍ଦ ନୀରବ,

ଶୁଣାଏ ମୁଁ ମୋ-ପ୍ରାଣର ଦୁଃଖ ।

ଶୁଣ ଶୁଣ, ହେ ଅତନୁ, ମୃଗାକ୍ଷୀର

କଟାକ୍ଷର ବାଣ ପ୍ରାଣ ମୋର ଜର୍ଜରିତ

କରେ । ନିଃଶଙ୍ଗ ମୁଁ ହୋଇଅଛି ଏବେ ।

ହେ ରାଧିକା, ସଖୀ ମୋର, ମୁଖ ତୋର

ଅକଳଙ୍କ ଚନ୍ଦ୍ରମା ଯେପରି, ଭ୍ରୁଲତା ତୋ’

ଫୁଲ ଧନୁ ଶର, ମର୍ମ ମୋର ପିଡ଼ୁ ଅଛି ଖାଲି ।

ଅଧର ତୋ ପକ୍ୱ ବିମ୍ବ ପରି

ନିର୍ଭୁଲ ବୃତ୍ତର ସମ ପୃଥୁଳ ତୋ

ବେନି ସ୍ତନ ଭାର

ସଦା

ଦଗ୍‌ଧ ମୋତେ କରେ ।

 

ପ୍ରତିରକ୍ଷା ନାହିଁ ମୋର କିଛି ।

ଭାସି ଭାସି

ହଜି ହଜି ଯାଏ

ମଦନର ଗଭୀର ନଦୀରେ,

ଶୁଭ୍ରକେଶୀ,

କୃପା କର କୃପା । ତୋହ ସହ

ଆଜି ନୁହେଁ

ଏ ଲୀଳା ନୂତନ...

ଚତୁର୍ଦ୍ଦଶ ଲୋକରେ ବିଦିତ

କରିଅଛି ରାଧା ତୁଲେ କ୍ରୀଡ଼ା

କେତେ କେତେ ମୁହିଁ ।

 

ତୋ ସ୍ତନର ନିବିଡ଼ ପରଶ,

ତୋ ତନୁର ତୀବ୍ର ଆଲିଙ୍ଗନ,

ପ୍ରତି ଅଙ୍ଗେ

ମୋର କେତେ ଆନନ୍ଦ ଦେଇଛି ।

ଅଧରର

ତୋ ଚୂର୍ଣ୍ଣ ଚୁମ୍ବନ

ମୋ ଦେହରୁ କନ୍ଦର୍ପର ଉତ୍ତାପ ନାଶିଛ ।

 

ଆଜି ସବୁ ନିସ୍ତବ୍‌ଧ

ନିଥର । ବସନ୍ତରେ ଖାଲି ଖାଲି

ନିଦାଘର ଶୁଷ୍କ ମରିଚୀକା !

 

କୃଷ୍ଣ ଆଜି ବିଭ୍ରାନ୍ତ । ବାତୁଳ ।

 

ଲତା ଦେହରେ ଯେଉଁ ଫଳ ଦୁଇଟି

ଫଳିଥିଲା ବିରାଟ ଆଉ ବର୍ତ୍ତୁଳ

ମଦନର ବିଷର ଜ୍ୱାଳାରେ

ତାହା ଆଜି କେବଳ

ବ୍ୟଥାରେ ଭରିଯାଇଛି ।

 

ସେଠି

ସେହି ବିରହିଣୀ ନାୟିକା

ଥର ଥର କରି ଥୋଉଛି ଆଣି

ପଦ୍ମ ।

ଶୀତଳ ଚନ୍ଦ୍ର-ଜ୍ୟୋତ୍ସ୍ନା ହୋଇଛି

ଅସହ୍ୟ ।

ଆର୍ତ୍ତରବରେ ପୂରିଯାଇଛି ବ୍ରଜ ।

ଭ୍ରାନ୍ତିର ପିଙ୍ଗଳ ପବନରେ

ଆଜି

ଭାଙ୍ଗିଛି ଯାବଟ ।

ଚନ୍ଦ୍ରର ଛାତିରେ ଯିଏ ଶଶାଟାକୁ ପିଟି

ତାକୁ ଗତାସୁ କରିଥିଲା

ସେ କିଛି

ସତ୍ୟ ଜାଣିଥିଲା ହୁଏତ,

କିନ୍ତୁ

କବି କଳ୍ପନାର ରାହୁର ଦନ୍ତାଘାତ

ଆଉ ସେଥିରୁ

ଚନ୍ଦ୍ରରୁ ଅମୃତ ଝରିଲା ପରି

ସ୍ମରର ଶରାଘାତରେ

ମୁଖଚନ୍ଦ୍ର ହୋଇଛି କେବଳ

ଅଶ୍ରୁମୟ ।

 

ରାଧିକା ସେ ତମ ବିରହରେ

ମୁମୂର୍ଷୁ... ମୁମୂର୍ଷୁ...

ହେ କେଶବ ଶୁଣ । କହିଲା ଲଳିତା ।

ଶୁଣ କଥା ଆହୁରି ଆହୁରି:

ଖିନ୍ନ ଦେହ

ସ୍ତନ ପରେ ହେଲାଣି ହେଲାଣି

ମୁକୁତାର ହାର ଅତି ଭାରି ।

କସ୍ତୁରୀରେ ସେ ଲେଖିଛି

ଚିତ୍ର । ତମକୁ କରିଛି ତହିଁ

ବିଦଗ୍‌ଧ ଅନଙ୍ଗ

ହାତେ ତାର ତୀର ଏକ

ଚୂତ ମୁକୁଳର ।

ଶରବ୍ୟ ହୋଇ ସେ ନିଜେ

ଆର୍ତ୍ତନାଦ କରେ ।

ମୃଣାଳରୁ ଖସିପଡ଼େ

ପଦ୍ମର ପାଖୁଡ଼ା ।

 

ମୁଖ ତାର ବିଷାଦରେ ଭରା ! ସତେ ?

ଅଶ୍ରୁଳ, ମଳିନ ! ପବନରେ ଏ କି ସ୍ୱର

ଶୁଭେ ? ତାହାର ଉତ୍ତପ୍ତ ଶ୍ୱାସ

ମୋ ଛାତିରେ ବାଜେ ! ତମେ,

ଏଇଠି ମୁଁ ଏଇମିତି ଚାହିଁ ବସି ଅଛି,

ହେ ଲଳିତା, ତ୍ୱରା ଯାଇ

ରାଧିକାକୁ ଆଣ ।

 

କୃଷ୍ଣର ପାଖରୁ ଫେରି

କହିଲା ଲଳିତା: କୃଷ୍ଣର ଅବସ୍ଥା

ତମଠାରୁ ଆଉରି ଖରାପ,

ରାଧା, ଚାଲ ତମେ ତ୍ୱରା ।

ମଳୟ ପବନ ଆଉ ଚନ୍ଦ୍ରର କିରଣ,

ଭଅଁରର ଧ୍ୱନି

ହୋଇଲାଣି କାଳ ।

ତୋର ଘଞ୍ଚ କଠିନ ଓ ପୀନ

ସ୍ତନ ଦୁଇଟିକୁ ହୃଦୟରେ ଭିଡ଼ି

ପରିରମ୍ଭ ସୁଧାରସ ପାଇଁ

ତାର ହାତ

ଚଞ୍ଚଳ ଓ ବ୍ୟଗ୍ର ।

ଯମୁନା କୂଳର ଧୀର ସମୀର ଭିତରେ

ସଦା

ସେ ବସିଛି ତୋ ବାଟକୁ ଚାହିଁ ।

ରାଧା, ଚାଲ ତ୍ୱରା ।

ସଂସାରରେ ରତି ସୁଖ-ସାର ।

ଚାଲ ଏବେ ମଦନର ମନୋହର

ବେଶେ । ନିତମ୍ବିନୀ, ବିଳମ୍ବ ନ କର ।

ବଂଶୀରେ ତୋହରି ନାଁ । ପବନରେ

ଉଡ଼ି ଆସେ ଧୂଳି ।

ମଣେ ତାକୁ ତୋ ଅଙ୍ଗର

ମଳୟଜ ରେଣୁ ।

 

ଗଛରେ ବସିଲେ ପଖୀ ପତ୍ରେ ପତ୍ର ବାଜି

ଶବ୍ଦ ହେଲେ, ଭାବଇ ସେ ତୁ ଆସିଲୁ

ବୋଲି ।

ଉଠି ପଡ଼େ, ପଲ୍ଲବରେ ଶଯ୍ୟା ରଚି

ବସେ ।

ତୋର ପଥେ ଆଖି ତାର

ଚକିତ, ତ୍ୱରିତ । ଚାଲ...

ରାଧା ଚାଲ ତ୍ୱରା...ଉପଯୁକ୍ତ

ବେଶ କର ଅଭିସାର ପାଇଁ ।

 

କାଢ଼ିଦିଅ ପାଦର ନୂପୁର,

ବକ୍ଷ ନଗ୍ନ କର...

ନିଚୋଳ ଖସାଅ ।

ତୋ ଛାତିର ମୁକ୍ତାହାର,

ବିପରୀତେ,

ଦୋଳିବ ତା କୃଷ୍ଣର ଛାତିରେ ।

ଶ୍ୟାମଳ ମେଘର ଦେହେ ତରଳ ବାଳାକା ।

ଚନ୍ଦ୍ରହାର, ବସ୍ତ୍ର

ଅନ୍ତର୍ହିତ ହେଲା ପରେ

ଏ ଘଟନ ଘନ ଜଘନର

ସମର୍ପଣ ତଳେ...

ଖେଳିବ ସଙ୍ଗୀତ ।।

 

ଘଟିଥିଲା ଏକଦା ଘଟନା:

ଏକ ଦମ୍ପତିର ଅଭିସାର

ସଙ୍କେତ ସ୍ଥଳକୁ । କିନ୍ତୁ

ବନ ଭୂମି ତମିସ୍ରାର ତଳେ

ଭିନ୍ନ ଭିନ୍ନ ସ୍ଥାନେ ଯାତ୍ରା କରି

ପରସ୍ପରେ

ଅଜ୍ଞାତରେ

କେବଳ ସେ ପରିଶେଷେ ନିଜକୁ ଭେଟିଲେ ।

ଜାଗିଲା ନୂତନ ପ୍ରେମ...ଆଲିଙ୍ଗନ,

ଚୁମ୍ବନ ଓ ନଖକ୍ଷତ-କୁଚକୁମ୍ଭ-କେଳି ।

ସମ୍ଭୋଗର ଅନ୍ତିମ ପ୍ରହରେ

ପ୍ରଶ୍ନ...ମୃଦୁଭାଷା,

କିପରି ! କିପରି !

ମୃଦୁ ହସେ ଉଭୟେ ଚିହ୍ନିଲେ । କହିଲା

ଲଳିତା, ଏ ରାତିର ସାନ୍ଦ୍ର ଅନ୍ଧକାର

ମୁହଁ ହଜା ହୋଇଅଛି ଆଜି ସେହିପରି,

ପାଦପର ଆଶ୍ରା ଧରି, ସୁନ୍ଦରୀ ତୁ,

କୁଞ୍ଜ ପଥେ ଚାଲ ।

 

ତମିସ୍ରାର ଅଭିସାର । ନିଃଶବ୍ଦିତ ଅଭିସାର ଏକ

ରାଧିକାର ଆଜିର ରାତିରେ ।

 

ନୁପୁରର ଶବ୍ଦ ନାହିଁ । ଦେହ ଖିନ୍ନ ଯୋଗୁ

ମେଖଳାର ଶବ୍ଦ ପୁଣି ହୋଇଛି ସଂଯତ ।

ମୁକ୍ତ ବକ୍ଷ, ନଗ୍ନ ଅନ୍ଧକାରେ

ସଖ୍ୟରଚି, ଖାଲି, ନୀଳାମ୍ବର

ଆବୋରି ରହିଛି । କି ଶବ୍ଦ ଶୁଭିଲା

ସେଠି ? କିଏ ସେ ଆସିଲା ? ନାଁ,

ପତ୍ର ଉଡ଼ିଗଲା ପବନର ଗତି ।

ଝାମ ମାରି ରାଧା ଏକ

ବୃକ୍ଷତଳେ ହଠାତ୍‌ ବସିଲା ।

 

ଦେହେ ଖାଲି କନ୍ଦର୍ପର ଜ୍ୱର; ମିଳନର

ଦୁର୍ବାର ତାଡ଼ନା । ପୁଣି ସେ ଚାଲିଲା । ରାଧା ।

ଏହି କୁଞ୍ଜ

ସଙ୍କେତର ସ୍ଥଳ । କୃଷ୍ଣ କାହିଁ,

କାହିଁ ? ଅନ୍ଧକାର ସତେ ସତେ

ବାଟ ଭୁଲିଗଲା ? ରାଧାର ଦୁର୍ଦ୍ଦଶାରାଶି

ସଖି ସବୁ କଳ୍ପନାରେ ବୁଣି କୃଷ୍ଣକୁ

କହିଲା କିନ୍ତୁ

ରାଧାର ଦୁର୍ଜୟମାନ, ନାହିଁ, ନାହିଁ,

ଯିବିନାହିଁ, କୃଷ୍ଣ ସେ ଆସିବ ।

 

ନୀଳ

ଯମୁନାର ପାଣି ହେଲା

ରୂପା,

ତରଙ୍ଗରେ ହୀରାର ଚଉଁରି ।

କଳାବତୀ ତ୍ରିଯାମାର

କଳା ଶାଢ଼ୀଟାକୁ

ଚନ୍ଦ୍ର ଟାଣି ନେଲା ।

ଆଉ

ଗଛପତ୍ର ସବୁଜ ଘାସରେ

ଅସଂଖ୍ୟ ଅଭ୍ରର ରେଣୁ

ବିଞ୍ଚି ବିଞ୍ଚି ଦେଲା ।

 

ଓଦା ଓଦା ପବନରେ ଭରିଗଲା କେବଳ ଶିତ୍‌କାର ।

କରୁଣ ଚିତ୍‌କାର ଖାଲି ଭରିଗଲା ରାଧାର

କଣ୍ଠରେ: କୃଷ୍ଣ ଆସିଲାନି, ଆସିବାର;

ଅଭିସାର ପଥରୁଦ୍ଧ କରି

ଚନ୍ଦ୍ର ଏବେ ଆକାଶରେ ଜଗୁଆଳ ହେଲା ।

ଗଭାରୁ ସେବତୀ ଆଉ କଣ୍ଠରୁ ମାଳତୀ

ଶୁଖିଗଲା ସବୁ । ଝଡ଼ି, ହଜି, ନିଭିଗଲା

ସ୍ତନ ଆଉ କପାଳରେ ଲେଖା

ଚନ୍ଦନ ଓ କସ୍ତୁରୀର ଲତା, ପତ୍ର, ସବୁ,

ବିଚିତ୍ର କମରୀ ।

ପଲ୍ଲବିତ ଯୌବନରେ

ଶୀତ-ବୁଢ଼ୀ ହାତ ବୋଳି ଦେଲା ।

 

କେ ଚତୁରୀ ଲୀଳାମୟୀ

ନାରୀ କିବା ଘେନିଗଲା

ନିଜ କୁଞ୍ଜେ ଚାଳି,

ଅନ୍ଧାରରେ ପ୍ରିୟ ମୋର ପଥ କି ଭୁଲିଲେ ?

ଅବା କେହି ବନ୍ଧୁଜନ ମିଳି

ମୋ ସହିତ ତନୁ-ମିଳନର

କରିଲେ ବିରୋଧ ?

 

 

 

ଅବଶେଷେ ସହଚରୀ ଫେରି

କହିଲା, କହିଲା, କୃଷ୍ଣ ନ ଆଇଲା ।

 

ଆକାଶରୁ ଅଚିରାତ୍‌ ଚନ୍ଦ୍ର ଗଲା ନିଭି ।

ଘୋଟିଗଲା ନିବିଡ଼ ଅନ୍ଧାର ।

ରାତ୍ରି ଆଉ

ବିଜନିତ ବନଭୂମି ତଳେ

ଅଶ୍ରୁ

ଦୁଇଟି ଆଖିର ଖାଲି ଅଶ୍ରୁ ଝରିଗଲା ।

 

ଶୁଣେ ମୁଁ କାନରେ ସ୍ୱର, ଆଖିରେ ମୁଁ

ଦୃଶ୍ୟରାଜି ଅବିକୃତ ଦେଖେ; କହିଲା

ସଖୀକି ଡାକି ଅଶ୍ରୁ ରୋଧି ବିଷନ୍ନା ରାଧିକା ।

ସ୍ମରର ସମର ପାଇଁ ରଚି ବେଶ ନାରୀ ଏହି

ଧରିଚି କୃଷ୍ଣକୁ । ଲୀଳାୟିତ ଭଙ୍ଗୀ ତାର,

କବରୀ ତା’ ଫିଟିଯାଇ ଲୋଟି ପଡ଼ିଅଛି,

ବିଞ୍ଚି ପଡ଼େ ଗଭାର କୁସୁମ । ହେଇ

ସେ ନାରୀର ମୁଖେ କୃଷ୍ଣ ଦେଲା

ଅଜସ୍ର ଚୁମ୍ବନ । ମୁକ୍ତ ତାର ବକ୍ଷ ପରେ

ସୁମେରୁ, କୁମେରୁ, ଉପରୁ ତା’

ମୋତି ମାଳ ଦୋଳି

ଲୋଟିଯାଏ କୃଷ୍ଣର ଛାତିରେ । ବିପରୀତ

ସେ ନାରୀର ଲୀଳା, ସ୍ତନ ଓ ମୁଖରୁ ତାର

ସ୍ୱେଦ ବିନ୍ଦୁ ଝରି କୃଷ୍ଣ ଦେହେ ଥପ ଥପ ପଡ଼େ ।

ପ୍ରଶ୍ୱାସରେ ଶବ୍ଦ ଶୁଭେ ଏହି । ସେ ନାରୀର

ପୃଥୂଳ ଜଘନ ବିପୁଳ ପୁଲକ ତଳେ

ବେପଥୁରେ ହୁଅଇ ଭଙ୍ଗୁର ।

 

ରାଧା

ନ ପାରିଲା

କହି ଆଉ କଥା ।

ଲଳିତା ଧରିଲା ହାତ, ଦେଖିଲା, ଦେଖିଲା,

ରାଧା ଦେହ ଅତ୍ୟନ୍ତ ଉତ୍ତପ୍ତ । ରାଧା ପୁଣି

ବାକ୍ୟ ଉଚ୍ଚାରିଲା, ଲଳିତାର ମୁଖେ ଚାହିଁ

ଅଶ୍ରୁଳ ଆଖିରେ ।...

ତଥାପି ତଥାପି ଯଦି ମୁହିଁ ନ ପାରିଲି

ପ୍ରତପକ୍ଷ ନାରୀଙ୍କର ଷଡ଼ଯନ୍ତ୍ର ଜିଣି,

ନିଶାନ୍ତ ହୋଇଲା ଆସି, ବିପ୍ରଲବ୍‌ଧା ହେଲି,

ଯେଉଁ କୃଷ୍ଣ କଲା ଆଜି ନିର୍ମମ

ଶଠତା, ମୁଁ ତାହାକୁ ତଥାପି ଚାହୁଁଛି ।

କୃଷ୍ଣ ଯାରେ କରିଲା ଚୁମ୍ବନ, ପ୍ରୀତି ଦେଲା,

ଧନ୍ୟ ସେହି ନାରୀ ।

ଯାହାର ଉତ୍ତୁଙ୍ଗସ୍ତନ ଶୃଙ୍ଗ-ପରିଧିରେ

ରେଖି ଦେଲା ଚନ୍ଦନ ଓ କସ୍ତୁରୀର

ଚିତ୍ର

କୃଷ୍ଣ,

ମଦନର ସିଂହାସନ ଯେ ନାରୀର

ସ୍ୱର୍ଣ୍ଣ ଜଘନରେ ମେଖଳା ଖେଳାଇ

କୃଷ୍ଣ

ପିନ୍ଧାଇଲା ସୂକ୍ଷ୍ମ ନୀଳାମ୍ବର,

ଯେ ନାରୀର ସ୍ଥଳପଦ୍ମ-ପାଦ

ହୃଦ ତଟେ ଧରି

କୃଷ୍ଣ

ଯାବକ ଲେଖିଲା;

ସେ ନାରୀର ଭାଗ୍ୟେ ଆଜି

ପ୍ରାଣ ମୋର ପ୍ରଶଂସା ମୁଖର ।

 

ମୁଁ ଜାଣୁଛି, ମୋହଠାରୁ ସୁନ୍ଦରୀ ସେ,

ସୁକୁମାରୀ,

ରତି ସୁପ୍ରବୀଣା । ତଥାପି

ତଥାପି, ଫେରିବିନି

ଘରେ ମୁହିଁ

ଆଉ

ନ ପାଇଲେ କୃଷ୍ଣର ସନ୍ନିଧି ।

 

ହେ ମଳୟ, ଦକ୍ଷିଣା ପବନ,

ଦକ୍ଷିଣରେ ଗତି ତବ ସଦା

ମୋହ ପକ୍ଷେ ବାମ ତମେ

ଅତ୍ୟନ୍ତ ଉତ୍ତପ୍ତ ମୋର

ମନ୍ମଥର ବ୍ୟଥା, ତୂର୍ଣ୍ଣେ ଆଣି

କୃଷ୍ଣ ଦିଅ କୋଳେ ।

ତାହା ପରେ ଏ ଦେହକୁ ଧ୍ୱଂସ କର ପଛେ ।

ହେ ଯମୁନା, ଯମର ଭଉଣୀ,

ନଦୀ, ସୁନା ନଦୀ ଆଗୋ,

ଶିକର ସମୀରେ କେତେ

ମୋ ଦେହ ତୁ କରିଛୁ ଶୀତଳ,

ଆଜି

ମୋ ଦେହ ଶୀତଳ ପାଇଁ

କୃଷ୍ଣେ ଆଣି ଦିଅ ।

 

ସୁମେରୁର ଶିଖର ଦେଶରେ ସ୍ପର୍ଦ୍ଧିତ ସାତଟା ଘୋଡ଼ା

ଠିଆ ହୋଇଛନ୍ତି;

ଖୁରା ଘାତେ ଉଡ଼ାନ୍ତି ସେ ସୁବର୍ଣ୍ଣର ଧୂଳି ।

ରଥ, ସୂର୍ଯ୍ୟ ତାହାପରେ, ଆକାଶରେ

ପରିକ୍ରମା ଆରମ୍ଭର ଉପକ୍ରମ କଲା ।

ଖଣ୍ଡିତ ଅନ୍ଧାର ତଳେ ବନ ବିହଙ୍ଗର

ନିଧୁବନ ।

ଆଉ,

କୁଜ୍‌ଝଟିର ଚକ୍ର କାଟି କୂଜନ ଜାଗିଲା

ଧରାର ସେ ଏକ ନାରୀ ରକ୍ତ ଓ

ମାଂସର, ତାହାର ସକଳ ଆଶା,

ମୈଥୁନିକ ଉତ୍ତପ୍ତ କାମନା

(ଯଦିବା ସ୍ୱର୍ଗୀୟ) ପୃଥିବୀର ମଳିନ ଧୂଳିରେ

ହଜି ହଜି ମିଶି ମିଶି ଲୀନ ହୋଇଗଲା ।

 

ନଦୀ, ସୁନା ନଦୀ, ଯମୁନା ଗୋ ଯମର ଭଉଣୀ; ଦକ୍ଷିଣ ପବନ !

କିଏ ସେ ଆସିଲା ସେଠି ! କିଏ ? କି ଶବ୍ଦ

ଶୁଭିଲା ପୁଣି ? ପତ୍ରର ମର୍ମର ? ନୁହେଁ ।

ମଣିଷର ପଦ ଶବ୍ଦ ଶୁଭେ ! ପର୍ଯ୍ୟୁସିତ

ନୀଳ ପଦ୍ମ ଏକ, ମଣିଷର ସ୍ଥିତି

ସଂଗୋପନେ ସେ ପ୍ରକାଶ କରେ ।

ରୂପ ଆଉ ରୂପର ମଣ୍ଡନ ଛିନ୍ନ ଭିନ୍ନ

ସ୍ୱିନ୍ନ । ଗଳାର ତା’ ବନଫୁଲ ମାଳ

କ୍ଳିନ୍ନ । ବଂଶୀ, କଟିରେ ହୋଇଛି ଖୋସା,

ହାତ ବଦ୍ଧାଞ୍ଜଳି । ତନ୍ଦ୍ରିତ ଆଖିରେ ଲାଗେ

ଉଦୟରେ ଅସ୍ତର ପ୍ରଲେପ । ହୃଦୟରେ

ଏବେ ବି ଲାଗିଛି ପ୍ରମତ୍ତା ନାରୀର ପଦ- ଅଳତାର ଦାଗ ।

ରତି-ଲୀଳା-ସଙ୍ଗୀତର ରାଗ

ହୁଏତ ଏ ଅଳ୍ପ ନିକଟରେ

ନୀରବି ଯାଇଛି ।

 

ରାଧା, ମୁଁ ଆସିଚି, କୃଷ୍ଣ,

ଭ୍ରାନ୍ତିବଶେ ବିପ୍ରଲବ୍‌ଧା ତମକୁ କରିଛି ।

କ୍ଷମା କର କ୍ଷମା ଆହୁରି

ଶଠତା, ବିପ୍ରଲବ୍‌ଧା ନୁହେଁ ଖାଲି

ଖଣ୍ଡିତା ହୋଇଛି । କୃଷ୍ଣ ତମେ ।

ତୁମେ ପୁଣି ଏଠି ? ଶୀଘ୍ର ଯାଅ ଚାଲି ।

ଆଖି ଟେକି ଅନେଇଲା ରାଧା:

ଓଠରେ ବୋଳି ହୋଇ ଯାଇଚି କଳା,

କାହାର କଜ୍ଜ୍ୱଳ-ରେଖିତ ଆଖିକି

ଚୁମିଥିଲ ରାତିରେ । ଦେହ ସାରା,

ଓଠ ଫୁଟେ ଦନ୍ତ ଆଉ ନଖରର କ୍ଷତ ।

ରାତି ପୁହାଇଲ ଯେଉଁ ରମଣୀର

କୋଳେ, ଚାଲିଯାଅ ଏବେ ବି ସେଠିକି ।

 

ମୁକ୍ତ ଅଛି ତମ ବାଟ, ତଥାପି ତଥାପି;

ତମରି ହାତରେ ଖାଲି ନାରୀର ନିହତ୍ୟା;

ଆଉ ନୁହେଁ ନୁହେଁ ।

ରାଧାର ଆଖି ସେ ଯଥା ହେଙ୍ଗୁଳାର

ପୀଠ ।

 

ଗ୍ରୀବା ତାର ବାଙ୍କି ଯାଇଅଛି ।

ମୁଖ

ମିଳନ ବିଷନ୍ନ । ଆଖି କୋଣେ

ଅଶ୍ରୁ ଝରିଯାଏ । ରହସ୍ୟର

ସ୍ମିତ ବି ତଥାପି । ଝରିପଡ଼େ

ଫୁଲର ପାଖୁଡ଼ା ମାନିନୀ ନାରୀର ଠାରେ

ପୁରୁଷର ହୁଏ

ପରାଜୟ ।

ଏକ

ନିଃଶବ୍ଦ ନିଷ୍ପ୍ରାନ୍ତି ।

ଭ୍ରାନ୍ତି । ଯମୁନାର ପାଣି ସବୁ ଶୁଖି ଶୁଖି

ହୋଇଗଲା ବାଲି । ଭାଙ୍ଗିଗଲା ସଂଖ୍ୟାତୀତ

ସ୍ଥାପତ୍ୟ ନିଚୟ...ଅନେକ ଦିନରେ ଯାହା

ହୋଇଥିଲା ଗଢ଼ା । କ୍ଷଣକର ଭ୍ରାନ୍ତିରେ କେବଳ ।

ଆସିଲେ ସଜନୀ ଗଣ । ସେ ପାଖରେ

ହାସ୍ୟରୋଳ ପ୍ରତିଯୋଗିନୀର । ହି...ହି... ।

ରାଧା ହାରିଗଲା । ତମେ ଜମା

କଥା ଥରେ ଭାବି ପାରିଲନି । ରାଧା;

ଶୁଣ ତେବେ ଅଟ୍ଟହାସ । ଭାବ,

ଏ ବସନ୍ତ-ପରିସ୍ଥିତି କଥା । ସ୍ତନ ଏହି

ତାଳଠାରୁ ଗୁରୁ ଓ ସରସ, ତାକୁ ତାକୁ

କଅଣ କରିବ...କେବଳ ବିଫଳ ଅଶ୍ରୁ

ଆଖିରୁ ଗଡ଼ାଇ ? ଆମେ

ସ୍ଥଗିତ କରିବୁ ତାଙ୍କ ଫେରିବାର

ଯାତ୍ରା । ତମେ ଆଉ, ରାଧା,

ଭ୍ରାନ୍ତି ନ କରିବ ।

ମୁହଁଟାକୁ ଓହଳେଇ ଲମ୍ବା କରିଦେଇ

ରାଧା ଅନେଇଲା ।

 

ଅପରାହ୍ନ

ଏବଂ

ସୂର୍ଯ୍ୟସ୍ତ...ତା ପରେ

ନିଶିମୁଖର ଆଗମନ

ଏବଂ

ରାତ୍ରି ।

 

ନବୋଦିତ ନକ୍ଷତ୍ର ପୁଞ୍ଜର ବିକୀରିତ ଅସ୍ପଷ୍ଟ ଆଲୋକ

ଆଉ ନବୋଦ୍ଭିନ୍ନ କୁସୁମର ବିଚ୍ଛୁରିତ

ସୁରଭିର ତଳେ ମଣିଷର ପାଦ ବାଜି

ପତ୍ରର ମର୍ମର । ରାଧା ଚମକିଲା । ପରିଚିତ

ପ୍ରସାଧାନ ରୂପମଣ୍ଡନର ତୀବ୍ର ସୌରଭରେ

ସଲଜ୍ଜ ଚାହାଁଣୀ ଧରି ପକ୍ଷ ତାର

ସଂଚାଳନ କଲା ।

 

ଏକ

ପ୍ରସ୍ଫୁଟ ନୀଳୋତ୍ପଳର ପ୍ରକାଶ ।

ରୂପ ତାର ଭୁବନ ମୋହନ ।

ମାୟା ।

ଏ ସନ୍ଧ୍ୟାରେ ଆଜି ଖାଲି ଅଭିସାରିକର

କୁହୁକ ଜାଗିଛି । ତାହାପରେ ଲୀଳାମୟୀ,

ଆଖିର ଇଙ୍ଗିତ । ସଖୀ ସବୁ ହଜିଗଲେ

ମେଘାବୃତ ତାରକାର ଭଳି

ଶ୍ୟାମ ଗୁଳ୍ମ ଲତା ଆଉ ପୁଷ୍ପ, ପଲ୍ଲବର

ଅନ୍ଧାରର ଆପଟ ଭିତରେ ।

ରାଧା-କୁଞ୍ଜେ କୃଷ୍ଣ ଆସି ଅଛି ।

 

କଥା କହ

କଥା ! କିଞ୍ଚିତରେ

କଥା କହ

ହେ ସୁନ୍ଦରୀ

ଥରେ !

ରୁଚିର ତୋ ଦନ୍ତର

ଜୋଛନା

କନ୍ଦର୍ପର ଅନ୍ଧକାର ରାଶି

ଭାଙ୍ଗି ଦେଉ ଦେଉ ।

 

ଚକ୍ରବାକ । ଚନ୍ଦ୍ର । ଆଉ ସିଧୁ ।

ସେ ଦିନ ସନ୍ଧ୍ୟାରେ ଆସି କୃଷ୍ଣ ସେ

କହିଲା: ଆଖି ମୋର ମୁଖେ ତୋର

ରହିଅଛି ନିପଟ ଆବଦ୍ଧ ଅମୃତର

ନିର୍ଝର ଆଶାରେ । ମାନ ଭାଙ୍ଗି

ମୁଖ ଟେକ, ଚାରୁଶୀଳା,

ପ୍ରିୟା ମୋର ଅୟି, ନିଆଁ ଜଳେ

ନିରବଧି କାମର ଅନଳ । ତାର ଶାନ୍ତିପାଇଁ, ମୁଖର ପଦ୍ମରୁ ଦିଅ

କେବଳ ଚୁମ୍ବନ ।

ଯମୁନାର ସହୋଦର ସହ ଯଦି ତୁହି ସଖ୍ୟ

ରଚି ଥାଉ ମୋର ମୃତ୍ୟୁ ପାଇଁ...

ଏହି ମୁଖ, ଏ ଶରୀର, ତୋର ଏହି ବିପୁଳ ଯୌବନ

ଯଦି କିଛି ଅର୍ଥ ଥାଏ ତାର...

ପ୍ରେମର ନିର୍ବାଣ ପାଇଁ କରିଥାଉ ଯଦି

ଏ ଦେହର ବିଲୀନ କାମନା...

ଅପାଙ୍ଗର ତୀକ୍ଷ୍‌ଣ ଶରାଘାତେ ବିଦ୍ଧ କରି

ଭୂଜ-ବନ୍ଧନରେ

ବନ୍ଦୀକର ମୋତେ ।

ଏ ଦେହକୁ ଦଶନରେ ଖଣ୍ଡ ଖଣ୍ଡ ବିଖଣ୍ଡିତ କର ।

 

ଏ ଦେହର ପାଇଁ ମୋତେ ସେ ଦେହକୁ

ପାଇବାକୁ ଦିଅ । ଏ ଜୀବନ ପାଇଁ ସେ ଜୀବନ

ସେ ଦେହ ଯେ ଏ ଦେହର କେବଳ ଭୂଷଣ ।

ସଂସାରର ସମୁଦ୍ରରେ ଜାହାଜଟା

ଟାଣି ଟାଣି ଟାଣି

ପାଇଅଛି ରତ୍ନ ତୋତେ ଏକା ।

ଆଖି ତୋର ମଦନର ସୁଶାଣିତ ବାଣ,

ହୃଦୟ କନ୍ଦର ଭେଦି ପ୍ରାଣ ମୋର

ବିଦଗ୍‌ଧ କରିଛି । ମୋ ରୂପକୁ

ଅବଲୁପ୍ତ କରି ରକ୍ତେ ତାର

ଆଖି ତୋର ଆରକ୍ତ ହୋଇଛି ।

ନୀଳାବ୍‌ଜର ଚିତାଭସ୍ମ ପରେ

କୋକନଦ ଲଭିଛି ଉତ୍‌ଥାନ ।

 

ସୁନ୍ଦରୀ ଗୋ ଶୁଣ ! ଯୁବକ ଆସିଛି ମୁହିଁ

ଯୁବତୀର ପାଶେ । ପୁରୁଷ ଓ ନାରୀ ।

ମନ୍ମଥର ଆକର୍ଷଣେ ସୃଷ୍ଟିର କ୍ରିୟାରେ

ମୋ ଦେହର ଆବଦ୍ଧ ପ୍ରବାହ

ମୁକ୍ତିର ଆଶାରେ

ଏ ସନ୍ଧ୍ୟାରେ ଚାହେଁ ଖାଲି

ନାରୀ ଆଉ ନାରୀ, ତମରି ସତ୍ତାର ।

ସ୍ତନ-କୁମ୍ଭେ ନାଚିଯାଉ ତୋ ଛାତିର

ମୁକ୍ତା ଆଉ ମଣିମୟ ହାର ।

ଡମ୍ବରୁର କଟିବନ୍ଧ ତଳେ ପୃଥୁଳ ଜଘନ,

କରି ତହିଁ ମନ୍ମଥର ଆଦେଶ ଘୋଷଣା

ଖେଳିଯାଉ ରଣିତ ମେଖଳା ।

ତୋର

ସ୍ଥଳ ପଦ୍ମ-ପାଦ

ହୃଦୟରେ ରତିରାଗ କରଇ ଉଦ୍ଦେଳ,

ଦିଅ ତୋର ପାଦ ବେନି ତୋଳି

ଲେଖିଦିଏ ହାତେ ତହିଁ ଅଳକ୍ତକ ଗାର ।

 

ସଖୀ,

ଖଣ୍ଡନ କରତୁ ଏବେ ସ୍ମରର ଗରଳ,

ପାଦ ତୋର ଥାପିଦିଅ ଏ ମୋହର

ଶିରେ,

ନିଭି ଯାଉ, ନିଭି ଯାଉ, ମଦନର

ଉଦଗ୍ର ଅନଳ ।

 

ପ୍ରେମ ସେ ସ୍ୱର୍ଗୀୟ ଯଦି,

ଆମେ ଯଦି ସ୍ୱର୍ଗୀୟ ପ୍ରେମିକ; କିନ୍ତୁ

ଏ ମାଟିର ରକ୍ତ ଓ ମାଂସର

ଦୃପ୍ତ ସଂଘର୍ଷରେ

ଜାଗଇ ସେ ସ୍ୱର୍ଗର ସଙ୍ଗୀତ ।

ସ୍ତନ ଆଉ ତୋର ଜଘନର ଗଭୀର ସଂକଟେ

ତେଣୁ ତେଣୁ ମନ ମୋର ସଦା

ପଡ଼ି ରହେ ହେ ନବ କାଶିନି ! ରୋଷ ଛାଡ଼ି

ଦିଅ ତୋର ଯୌବନର ନିବିଡ଼ ଆଶ୍ଳେଷ ।

ସ୍ତନରେ ପୀଡ଼ିତ କର; ଦନ୍ତରେ ବିକ୍ଷତ,

ଏ ମୋହର ଦେହ ।

କୁଞ୍ଜତଳ

ଶଯ୍ୟା ପରେ ଚାଲ ।

ଯୌବନର ଚରମ ମୁହୂର୍ତ୍ତ, ରାଧା !

 

ଲଳିତାର ବିଭିନ୍ନ ଓଠରେ

ଉଲ୍ଲସିତ ମଳୟର ସମୀରଣ ପରି

ଉତ୍ତରଳ ହେଲା ଖାଲି

ତେଜନାର ବାଣୀ ।

ପୁନର୍ବାର ସେ କହିଲା, ରାଧା,

କୃଷ୍ଣ ଏବେ ଅଶୋକର କେଶର କୁଞ୍ଜରେ

ତୋ ଆଶାରେ ବସି ଅଛି ଚାହିଁ ।

ନିର୍ଝରିଣୀ ଗତି ମୁଖେ ସିନ୍ଧୁର ପ୍ରତୀକ୍ଷା ।

ବିଳମ୍ବ ନ କର ଆଉ, ଏ ତୋହର ଘନ

ଜଘନ ଓ ସ୍ତନର ଭାଗରେ

ମନ୍ଦୀଭୂତ ଚରଣ ତୁ ଚାଳ । ଯାତ୍ରା,

ଏ ଅପୂର୍ବ ଅଭିସାର-ଯାତ୍ରା, ଅଭିଯାତ୍ରା ଏକ,

ବସନ୍ତର ପବନ ଭିତରେ

ରତିରଣ-ସଜେ ଆଜି ଲଜ୍ଜାହୀନ ହୁଅ

ମେଖଳା ଓ କିଙ୍କିଣୀର ଧ୍ୱନି

ଡିଣ୍ଡିମ ବଜାଉ । କୃଷ୍ଣର ମିଳନ ଆଉ

କନ୍ଦର୍ପ-ବିଜୟ-ପଥେ ଯାତ୍ରା ଏହି ତୋର

ସବୁ ସଖୀ ଦେଖନ୍ତୁ ଆଖିରେ ।

ରାଧା, କାନ ଦେଲା ସଖୀର କଥାରେ ।

 

ଖଞ୍ଜନ-ନୟନରେ ଅଞ୍ଜନର ରେଖା ରଂଜନ କଲା ରାଧା,

ମସ୍ତକରେ ନୀଳୋତ୍ପଳର ପୁଷ୍ପମାଳ,

ସ୍ତନ ତଟରେ କସ୍ତୁରୀ ପଙ୍କ ରେଖାଂକିତ,

ତନୁରେ କୃଷ୍ଣ ନିଚୋଳ । ଅଭି ସାରିକାର

ରୂପ ମଣ୍ଡନ ଶେଷ କଲା ରାଧା ।

ବିରହ

ବିଦ୍ରୂପ ଓ ବିଯୋଗ

ଏବଂ

ମାନ ବିଭଂଜନର ସଂଗ୍ରାମ ଭିତରୁ

ଆଜି ଘଟିଛି ଏକ ନୂତନ ପ୍ରେମିକାର ଅଭ୍ୟତ୍‌ଥାନ ।

ପାଦର ଶିଞ୍ଜିନୀକି

ବନ୍ଧନରେ ସଂଯମିତ କରି

ନିଃଶବ୍ଦିତ

ଯାତ୍ରା ପଥେ

ପାଦ ଦେଲା ରାଧା ।

 

ରାଧା, ମୋ ହାତକୁ ଏଥର ତୁ ଛାଡ଼ ।

ଅଖଣ୍ଡିତ ବାଳଚନ୍ଦ୍ର-ରେଖାର ଭ୍ରୂଲତା

ହେଇ, କୃଷ୍ଣର ଶ୍ରୀମୁଖ । କୁଞ୍ଜପଥ । କଅଁଳିଆ

ଅଶୋକ ପତ୍ରର ଶଯ୍ୟା ହେଇ ସେଠି ।

 

ଅଦେହର ପୂର ପଥେ ଏ ଯାତ୍ରା ମୋହର ।

ଦୀର୍ଘକାଳ ପରେ ସତେ ଅଭିଯାତ୍ରା ଏକ;

ଧମନୀରେ ଜଳିଯାଏ

ରକ୍ତର କଣିକା । କୃଷ୍ଣ ! କାହାକୁ ସେ

କର୍ଷଣ କରନ୍ତି ? ଏ ଗୋପର ସହସ୍ର

ନାରୀକି ? ନାଁ । ସେ ମୋହର ମୁଁ ତାଙ୍କର ଏକା ।

 

 

 

ରାଧା ଚିନ୍ତା କଲା ।

କୃଷ୍ଣର ମୁହଁକୁ ଥରେ ଚାହିଁଲା ରାଧିକା:

ଯମୁନାର ତରଙ୍ଗ ସେ ଯଥା, ଫୁଟି ବହେ

ଜଳ ବିମ୍ବ ଏକ । ମଧ୍ୟେ ତାର ଦ୍ୱରିଦ୍ରାଭ ବାସ ।

ବିକଶିତ ନୀଳ ପଦ୍ମ ପୀତ ବର୍ଣ୍ଣ ପରାଗର

ମଣ୍ଡଳ ରଚିଛି । ପ୍ରଫୁଲ୍ଲ, ପ୍ରସନ୍ନ ମୁଖ ।

ସରୋବରେ ପଦ୍ମ ଆଉ ଖଞ୍ଜନର ଖେଳ

ସସ୍ମିତ, ଅଧରେ ଫୁଟେ ରତିର ଅଭିପ୍‌ସା ।

ଅକୁଟିଳ ସୁଷମିତ କେଶରେ କୁସୁମ...

ନୀଳାବ୍‌ଜରେ ଜ୍ୟୋତ୍ସ୍ନା ଯେଉଁପରି ।

 

ଅପାଙ୍ଗ ଚଞ୍ଚଳ ହେଲା, ରାଧିକାର ଆଖି

ଲମ୍ବିଗଲା କାନମୂଳ ଯାଏ । ସ୍ୱେଦ ଆଉ

ଅଶ୍ରୁର ଉଦ୍‌ଗମ । ରାଧାର ଉଦ୍‌ଭ୍ରାନ୍ତି ।

ସଖୀ ସବୁ ଚାଲିଗଲେ । ଏକା । ହଠାତ

ହସିଲା ରାଧା । ପାଦଟାକୁ କୁଣ୍ଡେଇ କୁଣ୍ଡେଇ

ବସିଗଲା ଶଯ୍ୟାର ପ୍ରାନ୍ତରେ ।

 

ରାଧା ଅନେଇଲା କେଳିପୁର ପଲ୍ଲବ ଶଯ୍ୟାକୁ,

ଦିବା ରାତ୍ରି ସନ୍ଧ୍ୟା

ଚନ୍ଦ୍ର ଆଉ ଅର୍ଯମାର

ବହୁ ବହୁ ଅୟନ-ଅଂଶରେ

ପ୍ରେମ ଲୀଳା ଯଦି ତାର ଘଟି ଯାଇଅଛି,

ଆଜି ସବୁ ଅଶ୍ମୀଭୂତ ଖାଲି । ଜମା

ମନେ ନାହିଁ କିଛି । ଆଜି ଘୋଟେ

ବୁଭୁକ୍ଷା କେବଳ । ଦୀର୍ଘ ବିରହର ପରେ

ସତେ ସତେ ମନେ ନାହିଁ

କିଛି ଜମା ଆଉ

 

ପାଟଳି ଓଠରେ ଫୁଟେ

ମନ୍ଦ ମନ୍ଦ ହସର ଗୋଲାପୀ,

ହସର ଆଘାତେ ଲୋଟେ

ଆଖିର ଅଳସ ।

ଢେଉ । ଯମୁନା ପାଣିରୁ ଉଠି

ଥଣ୍ଡା ଥଣ୍ଡା ପବନ ବହୁଛି ।

ରାତିର ଅନ୍ଧାର ସବୁ ହୋଇଯାଏ

ମୁଲାମ୍‌ ବାଦାମୀ ।

 

ରାଧିକାର ଆଖିପତା ଅମାନିଆ ଆଜି...

ପଲ୍ଲବ ଶଯ୍ୟାରେ ଖାଲି

ଦେଖେ ସିଏ କୁସୁମର ଧନୁ,

ଶର ପୁଣି ଅଜସ୍ର ଅଜସ୍ର । ପ୍ରିୟେ !

ରାଧା ଶିହରିଲା । ମନେ କଲା, ଏ ସ୍ୱରରେ

ଖାଦ୍ୟ ବି ମିଶିଛି । ପୁଣି ଶୁଭେ

ପୁରୁଷର ସ୍ୱର: ଏହି ନବ ପଲ୍ଲବ ଶଯ୍ୟାରେ

ଏ କଅଁଳ ପାଦ ତୋର ରଖ । ଛୋଟ ପାଦ

ନୂପୁର ସେଥିରେ, ବହୁଦୂର ଆସିଅଛି

ଚାଲି; ଶୋଇପଡ଼, ପଦ ତୋର

ଦିଏ ମୁଁ ମଞ୍ଚାଳି ।

କଥା କହ, କଥା କହ, କଥା ।

 

ପୁଣି ପୁଣି କହିଲା ପୁରୁଷ:

କହ କଥା ଅନୁକୂଳ, ଆବେଗର

ଭାଷା; ଅମୃତ ଅମୃତ ।

ତୋର ଏହି ପୃଥୁଳ ବକ୍ଷୋଜ

ଦୀର୍ଘକାଳ ରହିଅଛି ବିରହିତ ହୋଇ

ତା ଉପରୁ ବସ୍ତ୍ର ଆବରଣ

ମୁଉଁ

ଫିଙ୍ଗିଦେବି ଏବେ ।

 

ଯୁବକ, ଯୁବତୀ, ରାତ୍ରି ।

ବନ ତଳ ନିକୁଞ୍ଜରେ ନିର୍ଜନତା ଖାଲି

ତରଳିତ ବିଗଳିତ ଉଦ୍ଦୀପିତ ହୁଏ ।

ପାରିଲାନି ଆଉ ଓଠ ଚାପି

ରାଧା । କୃଷ୍ଣ ମଧ୍ୟ ମୃଗ୍‌ଧକର

କଥା ବି କହିଲା । ଶେଷେ

ରାଧିକାକୁ ଭିଡ଼ିନେଲା ଏକାନ୍ତେ

କୋଳକୁ, ଦୁଇଟି ବାହୁରେ ।

 

ସେ କେଉଁ ସାଗର ମୁଖେ ନୀଳ କାନ୍ତ ମଣି-ସ୍ତମ୍ଭ ଆଲୋକର

ବାର୍ତ୍ତା ଧରି ଚାହେଁ ? ସୁବର୍ଣ୍ଣରେ ସିକତିଳ ପ୍ରବାଳର ଦ୍ୱୀପ,

ବନ୍ୟାଗାନେ ପରିପ୍ଲୁତ ଦୁର୍ବାଦଳ ତଳେ

କେଉଁ

ଶଙ୍ଖଶୁଭ୍ର ପାହାଡ଼ର ସ୍ୱପ୍ନ ଭାସି ଆସେ ?

ଶଯ୍ୟାହେଉ ଆନନ୍ଦିତ । ରାତ୍ରି ସୁଖମୟ । ଚୁମ୍ବନ ପ୍ରଳମ୍ବ ।

ପ୍ରେମ ହେଉ ଅନନ୍ତ ଅକ୍ଷୟ । ଏହି ସୁଖ ରାତ୍ରି ପରେ

ସୂର୍ଯ୍ୟ ନାହିଁ ଜାଗୁ ।

ଆକାଶର ତାରା ଏକ କୁଞ୍ଜ-ପଥ-ଛିଦ୍ର-ଭେଦ କରି

କାନେ ତାର ମୁଗ୍‌ଧ ଏକ ଭ୍ରମରର

ବିଦଗ୍‌ଧ ଗୁଞ୍ଜନ ରାତିସାରା ଏକାନ୍ତେ ଶୁଣିଲା ।

 

ନାରୀ ସେ ଉନ୍ମତ୍ତ ହେଲା

ପ୍ରମତ୍ତ ଉତ୍ତଳ

ବିଦ୍ରୋହ-ଉନ୍ମୁଖ ତାର

ସ୍ତନ ଯୁଗ ବହି

କଠିନ ସଂଘର୍ଷେ

ପୁରୁଷକୁ କଲା ଆକ୍ରମଣ;

ଚୁମ୍ବନରେ ମୁଖ ତାର

ବିକୀର୍ଣ୍ଣ କରିଲା ।

 

ହଠାତ୍‌ ବିକ୍ଷୁବ୍‌ଧ ହେଲା ସମୁଦ୍ରର ବକ୍ଷ ।

ଢେଉ ଆଉ ଝଡ଼ର ଭିତରେ

ହଲି ହଲି ଦୋହଲି ଦୋହଲି

ଭାସି ଗଲା ପୋତ । ପବନରେ ଅଝାଲଟା

ଫାଟିବାର ଉପକ୍ରମ କଲା । ମଙ୍ଗ ମୁଣ୍ଡେ

ହାତୀଶୁଣ୍ଢ ଦେବତାର ପୂଜା, ବିପଦ କଟିଲା ।

ଯାତ୍ରୀ ତହିଁ ପୁରୁଷ ଓ ନାରୀ

ଉଭୟେ କୁଶଳୀ

କ୍ଷେପଣୀ ରହିଛି ଦୃଢ଼

ଦୁହିଁଙ୍କର ହାତେ ।

ସାଗର ବକ୍ଷରେ ଖାଲି ଭାସିଗଲା

ବିନ୍ଦୁ ବିନ୍ଦୁ ମୋତି । ଢେଉର ଆଘାତେ ସବୁ

ବାଲି ହେଲା ଓଦା । ତା ଉପରେ

ଟାଣି ଟାଣି ନଗ୍ନ ଆଉ ଧ୍ୱାନ୍ତ ଦେହଟାକୁ

ଚାଲିଗଲା ରୂପର ଦେବତା ।

 

ଅନ୍ଧାରରେ ଘନିଭୂତ ସ୍ୱେଦର ନିର୍ଝର

ବୋଳି ହୋଇ ଜାଗି ଉଠେ ପଶୁ । ଏକୀଭୂତ

ବକ୍ରୀକୃତ ଦୁଇଗୋଟି ଉତ୍ତପ୍ତ ତନୁରେ

ଖେଳିଯାଏ ରତିର ବନ୍ଦନା । ବେଳେ ବେଳେ

ସାଗରଟା ହୁଅଇ ପ୍ରଶାନ୍ତ,

ଉତ୍ସାରିତ ଝଟିକାରେ ପୁଣି ଫୁଲିଯାଇ

ହୋଇ ଉଠେ କ୍ଷିପ୍ତ ଓ ଅଶାନ୍ତ ।

ଉଚ୍ଚ ଘଞ୍ଚ ପରିପୂର୍ଣ୍ଣ ସ୍ତନର ମଣ୍ଡଳ

ହୋଇଯାଏ ବିବର୍ଣ୍ଣ, ବିକ୍ଷତ; ସୁକୁମାର

ଅଧର ଦଂଶିତ । ରାଧିକାର କେଶଗୁଚ୍ଛ

ତୂର୍ଣ୍ଣେ ଭିଡ଼ି ଧରି

କୃଷ୍ଣ ଏକ ଦୀର୍ଘାୟିତ ଚୁମ୍ବନ ଲେଖିଲା ।

 

 

 

ଅସ୍ଥିରୁ ଗୁଞ୍ଜନ ଉଠେ, ମାଂସରୁ ରାଗିଣୀ,

ରକ୍ତ ହୋଇ ଜଳକଣା ସଙ୍ଗୀତ ଗାଇଲା ।

ଅଚିରାତ୍‌ ରାଧା ହୋଇ ଅତ୍ୟନ୍ତ ଅଧୀରା

ମୁକ୍ତ ତାର ସ୍ତନ ଯୁଗଳର

ରକ୍ତିମ ଆଭାରେ

ସଂଗ୍ରାମର ଧ୍ୱଜା ତୋଳି ଦେଲା,

ସ୍ୱର୍ଣ୍ଣ ଘନ ଜଘନ ସଂଚାଳି

ମୃଣାଳ ମୃଦୁଳ କମ୍ର ବାହୁ ଭଙ୍ଗିମାରେ

ପୁରୁଷକୁ କରିବାକୁ ବିଜିତ, ନିର୍ଯିତ

ମଲ୍ଲ ଯୁଦ୍ଧ ପୁଣି ଆରମ୍ଭିଲା ।

 

ବକ୍ଷରେ ନିଚୋଳ ନାହିଁ । ଦେହରେ

ଦୁକୂଳ । ନଗ୍ନ ତନୁ

ରତି ବନ୍ଧ ବିବିଧ କ୍ରିୟାରେ

ଅବଶେଷେ ଶ୍ରୀକୃଷ୍ଣର ଶ୍ରାନ୍ତ ଦେହ ପରେ

ରାଧିକା ସେ ମୂର୍ଚ୍ଛାହତ ହେଲା ।

ସଂଗ୍ରାମିତ ସଙ୍ଗୀତର ମୂର୍ଚ୍ଛନା ପ୍ରକାଶି

ବାହୁ ଓ ବକ୍ଷରେ ଖାଲି କମ୍ପନ ଖେଳିଲା ।

ଦେହରେ ଦେଉଳେ ଆଜି

ଜୀବନର ଜୟ ।

ଆନନ୍ଦର ନୃତ୍ୟ ଲାଗିଯାଏ,

କବି-ନୃପ ଜଏଦେବ ଆଜି ଆତ୍ମାର ସନ୍ତୋଷେ

ଦେହବାଦୀ ସଙ୍ଗୀତ ସେ ଗାଏ ।

ଯମୁନା ଓ ବୃନ୍ଦାବନ

ଅସତ୍ୟ...

ରାଧା ଆଉ କୃଷ୍ଣ

ଅବୃ...

ପ୍ରାଚୀ-ତୀର କୁଟୀରର ତଳେ

ଧୀର ସମୀରଣ,

ରାତିର ସଂଗ୍ରାମ ପରେ

ପଦ୍ମାବତୀ ଏବେ ବି ଶୋଇଛି ।

 

ଇନ୍ଦୀବର ଆଖି ରାଧିକାର

ଧୀରେ ଧୀରେ

ନିଶାନ୍ତ ପବନ ବାଜି

ଉନ୍‌ ମିଳିତ ହେଲା ।

ଦେଖିଲା ସେ ଶ୍ରୀକୃଷ୍ଣର ଉନ୍ନିଦ୍ରେ କଷାୟ

ନୀଳପଦ୍ମ ଆଖିର ପଲକେ

ଆଉ

ଅଧରର ବିରଙ୍ଗ ବିଦ୍ରୂମେ

ହସର ବୁଦ୍‌ବୁଦ ।

ହଠାତ୍‌ ଖେଳିଲା ଲଜ୍ଜା,

ରାଧା

କଟି ତଟେ ବସ୍ତ୍ର ଟାଣି ନେଲା ।

 

ଯେପରି ଅନାବିଷ୍କୃତ ଅନେକ ଦିନର

କୁମାରୀ ମାଟିରେ ଆଜି

ଜାଗିଅଛି ସୂର୍ଯ୍ୟର ତୋରଣ ।

ରାଧା ଚମକିଲା, ସଂପ୍ରତି ଗତାସୁ ହୁଏ

ଗତ ସନ୍ଧ୍ୟା ପରର ଯେ ସୁଦୀର୍ଘ ତ୍ରିଯାମା

ତାହାରି କୋଳରେ ଉଇଁ ବାଳଚନ୍ଦ୍ର

ଅସଂଖ୍ୟ ଅସଂଖ୍ୟ

ସ୍ତନର ସାନୁରେ ଏବେ ରକ୍ତ ମୁଖେ

ଅସ୍ତ ଯାଉଅଛି ।

 

ପରିପୂର୍ଣ୍ଣ ପ୍ରଶାନ୍ତିର ତଳେ

ବଢ଼ିଯାଏ ସ୍ନାୟୁର ସ୍ପନ୍ଦନ, କୃଷ୍ଣ ଦେଖେ

ତା’ ପକ୍ଷୁର ଅତି ନିକଟରେ

ଉଷାର ଆଲୋକ ବାଜି ଠୁଳ ହୁଏ

ବିସ୍ତୀର୍ଣ୍ଣ ସୁଷମା: ନିଜର ନିବାସ ସ୍ଥଳ

ରାଧିକାର କେଶଗୁଚ୍ଛ ସବୁ ଖୋଲି ଦେଇ

ରାତ୍ରି ପଳାଇଛି । କୁନ୍ତଳରୁ ଏବେ ମଧ୍ୟ

ଖସୁଛି କୁସୁମ । ଛିନ୍ନ ଭିନ୍ନ ମାଳା ।

ବିପର୍ଯ୍ୟସ୍ତ ଅଳକଲତିକା । ଗଣ୍ଡ ଆର୍ଦ୍ର

ଏବେ ବି ରହିଛି । ବିକ୍ଷତ ପାଟଳୀ ପରେ

କୃଷ୍ଣ ଚୂଡ଼ା ଫୁଟିଛି ଓଠରେ ।

 

ସ୍ତନ-ଜଘନର ଶୋଭା ମୁକ୍ତ କରିଦେଇ

କାଞ୍ଚି କାହିଁ ବିଭିନ୍ନ ହୋଇଛି ।

ନଗ୍ନ ଓ ମଣ୍ଡନହୀନା

ଯୁବତୀର ଅପୂର୍ବ ସୁଷମା

ବକ୍ଷର ଉପରେ । ରାଧା,

ଆଶ୍ଚର୍ଯ୍ୟ ପକାରେ ପୁଣି

କରଇ ଉତ୍ସୁକ । କୃଷ୍ଣ ସେ ଭାବିଲା ।

 

ସମ୍ମୋହନ । ଉନ୍ମାଦନ । ଶୋଷଣ

ତାପନ । ସ୍ତମ୍ଭନ ।

ପାଞ୍ଚ ଶର ତାହାର ହାତରେ, ମୁଣ୍ଡେ ତାର

ମାଛ-ଅଙ୍କା-ଟୋପି । ହସି ହସି

କହିଲା ରାଧିକା, ସଖା ତାର ମୋର ଏହି

ଦୁଇଗୋଟି ସ୍ତନ; କ୍ରୀଡ଼ାର ଆରମ୍ଭେ ହୁଏ

ମଙ୍ଗଳର ଘଟ, ତାରେ ତମେ କରିଛ ବିକ୍ଷତ;

ପୀଡ଼ା ଭାରି ! ଓଃ ! ଉଠିବାକୁ

ଚେଷ୍ଟା କଲା ରାଧା ।

ଦିଅ, କପୂର ପାଣିରେ ଧୋଇ

କସ୍ତୁରୀର ଚିତ୍ର ଲେଖ ସେଠି ।

 

ମୁଁ ଆଖିରେ ଅଞ୍ଜନ ଲେଖିଥିଲି

ଭଅଁରଠାରୁ ଆହୁରି କଳା,

ଚୁମ୍ବନ ଲେଖି ଲେଖି

ସବୁ ନଷ୍ଟ କରିଛ

ତମେ

କୃଷ୍ଣ

ତାକୁ ସଜାଡ଼ି ଦିଅ ।

 

ପବନରେ ଡେଇଁ ବୁଲୁଥିବା

ଛୋଟ ହରିଣ ପରି

କାନମୂଳଯାଏ ଲମ୍ବିଥିବା

କପାଳର ଛୋଟ ଛୋଟ ବାଳ

ଆଉ

କନ୍ଦର୍ପର ରଥର ଚଅଁର

ମୋର

ବାଳ ଗୋଛାକଯାକୁ

ଭଲ କରି ସାଜି ଦିଅ କୃଷ୍ଣ ।

 

ତମେ ଅସଂଖ୍ୟ ଚୁମ୍ବନ ଆଙ୍କି ଥିବା

ଏହି ଗଣ୍ଡ ଯୁଗଳର ଶୋଭାକୁ ବଢ଼ାଇ

କାନରେ ଲଗେଇ ଦିଅ

ଏଇ

ରତ୍ନ କୁଣ୍ଡଳ ।

 

ରାଧା

କହିଗଲା ଯେତେ ଯେତେ କାମନାର କଥା...

ପରିପୂର୍ଣ୍ଣ ପ୍ରେମର ବାରତା...

ପ୍ରଣୟର ନୈତିକତା ସବୁ । ଆନନ୍ଦରେ

କୃଷ୍ଣ ତାହା ଶୁଣିଲା ଶୁଣିଲା; ସତେ ସତେ

ନାରୀ ସେହି ତାହାରି ମନର, ସ୍ୱପ୍ନ ସବୁ

ତା’ ମନର ରାଧିକାର ଲୋମେ ଲୋମେ

ମିଶି ଯାଇଅଛି । ତାହାର ଦେହଟା ଯାକ

ସମ୍ଭୋଗର ମହୋତ୍ସବ ଖାଲି,

ଆନନ୍ଦରେ ଶୋଭାଯାତ୍ରା ଏକ । ଏବେ ବି ସେ

ଉଲଗ୍ନରେ ତା ଉପରେ ଚଟୁଳେ ଗଡ଼ୁଚି ।

କୃଷ୍ଣ ତାକୁ ପୁଣି ଅନେଇଲା ।

ତଥାପି ପାହିନି ରାତି । ଟିକେ ଟିକେ

ଉଷା ମୁହଁ ଦିଶେ । ଉଷା ରହୁ ।

ସୂର୍ଯ୍ୟ ଯାଉ ମରି । ଏ ରାତିଟା ନ ପାହିଲେ

ଆଜି ହୁଅନ୍ତାନି !

 

ନିକୁଞ୍ଜରେ

କୁସୁମର ପୁରେ

ପଲ୍ଲବର ବିଳାସ-ଶଯ୍ୟାରେ

ନାରୀ ଓ ପୁରୁଷ ଦେହ

ଏବେ ବି ଅଭିନ୍ନ

ଆଲୋକର

ଶୁଭ୍ରରେଖା

ଅନ୍ଧକାର ଭାଗେଁ ।

ଆରେ, ତମେ ଏତେ ଅନୌଚ କାହିଁକି । ପୀଡ଼ିତ ତା’ ସ୍ତନର

ଗୋଲକ, କୃଷ୍ଣର ଦେହକୁ ରାଧା ପୁଣି ଭିଡ଼ି ନେଲା । ହ ଅଁ ଅଁ...

ମୁହଁରେ ଲେଖିଦେବ ଚନ୍ଦନ ଓ କସ୍ତୁରୀର ଛବି । ସବୁଯାକ ନିଭେଇ

ଦେଇଚ । ଅଳତା ବି ଲେଖି ଦବ ଦବ ।

 

ହିରଣ୍ମୟ ବାଲିବନ୍ତ, ଉପଳର ଖଣ୍ଡ । ନୀଳ ନୀଳ

ଘାସ । ଉଦ୍ୟାନରେ ଭିନ୍ନ କେତେ ଫୁଲ ।

ମାଟି ସବୁ ଶୁଭ୍ର ଓ ସତେଜ ।

ଉଷାର ଆଗମ ତଳେ

ଯୌବନର ପ୍ରଖର ମଧ୍ୟାହ୍ନ ।

ଅନେକ କାଳର ସ୍ୱପ୍ନ, ଆଜି ବି

ସରିନି । ତୃଣକ୍ଷେତ୍ରେ ମୃଗ ଆଉ

ମୃଗୟାଜୀବୀର ଚାଲିଅଛି ଏବେ ବି ସନ୍ଧାନ ।

ତା’ତଳର ସମୁଦ୍ରର ଛୋଟ ବଡ଼ ଢେଉର ଉପରେ

ଜାହାଜର ଶ୍ରେଣୀ । ଭାଙ୍ଗିଯାଏ, ବୁଡ଼ିଯାଏ,

ପୁଣି କିଏ କ୍ଷତିଗ୍ରସ୍ତ ହୁଏ ନାହିଁ ଜମା

 

ଆଉ ଆଉ କଥା କହୁ କହୁ, ହଠାତ୍‌

ଠିଆହେଲା ରାଧା । ଦେହ ତାର

ଉଲଗ୍ନ ବିବାକ୍‌ । ଦେଖ,

ସମ୍ବରାସୁରର ଅରି ତା’ ହାତୀର

କନ୍ଦରରୁ ଗୁରୁ ସୁଗଠିତ ଏ ଜଘନ ମୋର,

ନିଜ ହାତେ, କୃଷ୍ଣ,

ପାତଳ ଏ ନୀଳାମ୍ବର ଧରି

ତମେ ପିନ୍ଧେଇବ ।

 

ନାୟିକାର ସବୁ ଅନୁରୋଧ

ରକ୍ଷା କରି

ରାଧାର ବକ୍ଷ ଓ

ଭାଲ ପଟରେ

ଲେଖିଲା କସ୍ତୁରୀର

ଚିତ୍ର । କୃଷ୍ଣ ।

ରାଧାର ଆଖିରେ

ଲହରୀ ସର୍ଜନା କରି

ରେଖି ଦେଲା ଅଞ୍ଜନ ।

 

ଉରଜରେ ମଣି-ହାର,

କଟିରେ କିଙ୍କିଣୀ ।

ପାଦରେ ଅଳତା ଲେପି

ଖଞ୍ଜିଲା ନୂପୁର

କୁଙ୍କୁମ ଓ ଚନ୍ଦନ

ଆଉ କର୍ପୂର ମିଶା ଥଣ୍ଡା ପାଣି

ବୋଳି ଦେଲା ପରେ

ପିନ୍ଧେଇ ଦେଲା ବସ୍ତ୍ର ।

ଦ୍ରାପିଟା ନିଜ ହାତରେ

ପିନ୍ଧିଲା ରାଧା ।

 

ସୁବେଶ ଶେଷରେ ପୁଣି ରାଧା ଥରେ

ନିବିଷ୍ଟ ଆଖିରେ

କୃଷ୍ଣକୁ ଚାହିଁଲା । ନାରୀ ସେହି

ନିତ୍ୟ ପ୍ରେମଶୀଳା, ନିରତେ

ମକରଧ୍ୱଜ ସେବା କରେ ତାର ।

କୃଷ୍ଣ ଲକ୍ଷ୍ୟ କଲା,

ପୁନରପି ଦଣ୍ଡ ସାଜେ

ରତିର ବଲ୍ଲଭ । କିଏ ? ଲଳିତା

ଆସୁଚି ସେଠି ? ରାଧାର ମୁହଁରୁ ହାତ

କୃଷ୍ଣ ଛାଡ଼ି ଦେଇ

ଚୁମ୍ବନର ପାଇଁ ତାର ପ୍ରସାରିତ ଓଠ

ପ୍ରତ୍ୟାହୃତ କଲା ।

ମାର୍ଗ ଛାଡ଼, ମାର୍ଗ ଛାଡ଼, ପଥ ଛାଡ଼ ଆଗନ୍ତୁକ କବି,

ଶୁଣ ଶୁଣ ଗୀତି-କଣ୍ଠ ରସିକ...ବିଦୁଷ,

ଜଏଦେବ ଶେଷକରେ ପ୍ରେମର କବିତା ।

ଶେଷ କରେ ନାରୀ ଆଉ ପୁରୁଷର ଗୀତ ।

ଅଧର ଓ ବକ୍ଷ ନିଭିଯାଏ

ପ୍ରାବୃଷା ଓ ବସନ୍ତର

ଅଶ୍ରୁ ଓ ହର୍ଷର

ଭାଷା ଯାଏ ନିଭି ।

ଶେଷ ହୁଏ ଦେହର ସଙ୍ଗୀତ । ସତ୍ୟ ଆଉ

ଜୀବନର ପଥ ଖୋଜି ଖୋଜି

ସୂର୍ଯ୍ୟର ଉଦ୍ୟାନେ ଯାଏ ଆଲୋକର ରଥ ।

 

ରଚନା ସମାପ୍ତି

୨୮-୯-୧୯୬୪ ଅପରାହ୍ନ

***